ହାଇଦ୍ରାବାଦ:ଶାଗ ଜାତୀୟ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । କୁହାଯାଏ ଯେ, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ନିଜ ଖାଦ୍ୟରେ କିଛି ଶାଗ ଜାତୀୟ ପନିପରିବା ସାମିଲ କରିବା ଉଚିତ । ଏହା ଏକ ସୁସ୍ଥ ଜୀବନଯାପନର ଚାବିକାଠି । ଶାଗ ଜାତୀୟ ପନିପରିବାରେ ଚର୍ବି କମ୍ ରହିବା ସହ ପ୍ରୋଟିନ, ଭିଟାମିନ ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ଥାଏ । ତେବେ ଅନେକ ଲୋକ ଶାଗ ଜାତୀୟ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ବି ଶାଗ ଜାତୀୟ ଖାଦ୍ୟକୁ ଖାଇବାକୁ ପସନ୍ଦ କରୁନାହାନ୍ତି, ତଥାପି ଆପଣ ଆପଣଙ୍କ ଖାଦ୍ୟରେ ସବୁଜ ପତ୍ରଜାତୀୟ ପନିପରିବା ସାମିଲ କରିବା ଉଚିତ । କାରଣ ଏଥିରୁ ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ପୋଷଣ ବିଶେଷଜ୍ଞ ଡକ୍ଟର ସ୍ବରୂପା ରାଣୀଙ୍କ କହିବା ଅନୁସାରେ, ଶାଗ ଜାତୀୟ ପନିପରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଲୌହ, ଜିଙ୍କ ଏବଂ ଫଲିକ ଏସିଡ୍ ମଧ୍ୟ ଭରପୂର ମାତ୍ରାରେ ଥାଏ । ଏହି ପନିପରିବା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କାରଣ ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଶାଗ ଜାତୀୟ ପନିପରିବାରେ ଭିଟାମିନ୍-A ଏବଂ C ସହିତ କ୍ୟାଲସିୟମ ମଧ୍ୟ ଭରପୂର ଥାଏ । ଏହି କାରଣରୁ, ସପ୍ତାହରେ ଅତି କମରେ ୩ ଥର ଖାଦ୍ୟରେ ଶାଗ ଜାତୀୟ ପନିପରିବା ସାମିଲ କରିବା ଉଚିତ । ଏହାଦ୍ବାରା ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଡକ୍ଟର ସ୍ବରୂପା ରାଣୀଙ୍କ କହିବା ଅନୁସାରେ, ଖାଦ୍ୟରେ ଏହି ଶାଗ ଜାତୀୟ ପନିପରିବା ସାମିଲ କରିବା ଉଚିତ...
ଖଡ଼ା ଶାଗ:
ଗାଁ ଗହଳିରେ ପ୍ରାୟତଃ ସହଜରେ ଖଡ଼ା ଶାଗ ମିଳିଥାଏ । ଖଡ଼ା ଶାଗରେ ପ୍ରଚୁର ପରିମାଣରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍-C, ଲୌହ ଏବଂ କ୍ୟାଲସିୟମ୍ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଦୃଷ୍ଟିଶକ୍ତି ବୃଦ୍ଧି ପରିବାରେ ସାହଯ୍ୟ କରେ । ଏହା ବ୍ୟତୀତ ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ ।
ପାଳଙ୍ଗ:
ପାଳଙ୍ଗରେ ପ୍ରଚୁର ପରିମାଣରେ ବ୍ଲଡ ପ୍ୟୁରିଫିକେସନ (Blood Purification) ଉପାଦାନ ରହିଛି । ପାଳଙ୍ଗ ଶାଗରେ ଭିଟାମିନ୍-A, B, C, K, ମ୍ୟାଗ୍ନେସିୟମ୍ ଏବଂ ଫଲିକ ଏସିଡ୍ ଭଳି ଖଣିଜ ପଦାର୍ଥ ମଧ୍ୟ ରହିଛି । ଯାହା କର୍କଟ ଭଳି ରୋଗରୁ ରକ୍ଷା କରେ । ଏହା ଫୁସଫୁସ ଏବଂ ହୃଦରୋଗରୁ ମଧ୍ୟ ରକ୍ଷା କରେ । ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ଚକ୍ଷୁକୁ ସୁସ୍ଥ ରଖିଥାଏ ।
ମେଥି:
ମେଥି ପତ୍ରରେ ଫାଇବର, ପ୍ରୋଟିନ୍, ଆଇରନ୍, ସୋଡିୟମ୍, କପର, ଫସଫରସ୍, ଜିଙ୍କ୍ ଏବଂ ଭିଟାମିନ୍ ଥାଏ । ଏଥିରେ ଥିବା ଫାଇବର ମେଟାବୋଲିଜିମ୍ ଉନ୍ନତ କରିବା ସହ ଓଜନ ହ୍ରାସ କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଓମେଗା 3 ଏବଂ 6 ଫ୍ୟାଟି ଏସିଡ୍ କେଶ ଝଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ପୁଦିନା:
ପୋଦିନା ପତ୍ରରେ ଭିଟାମିନ୍ A, C ଏବଂ B କମ୍ପ୍ଲେକ୍ସ ଭରପୂର ମାତ୍ରାରେ ଥାଏ । ଏହା ଖାଦ୍ୟକୁ ହଜମ କରିବାରେ ସାହଯ୍ୟ କରିଥାଏ ଏବଂ ଗ୍ୟାସ୍ ସମସ୍ୟାକୁ ଦୂର କରିଥାଏ । ଏହା ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ମଧ୍ୟ ଦୂର କରିବା ସହ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ହେବା ଭଳି ସମସ୍ଯାରୁ ମୁକ୍ତି ଦିଏ ।