ହାଇଦ୍ରାବାଦ:ଲୋକପ୍ରିୟ ସାଉଥ ତାରକା ବିଜୟ ଦେବରକୋଣ୍ଡାଙ୍କ ଆଜି (ଏପ୍ରିଲ 9) ଜନ୍ମଦିନ । ୩୫ ବର୍ଷରେ ପାଦ ଥାପିଛନ୍ତି ଅଭିନେତା । ଏହି ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ଅଭିନେତାଙ୍କ ଦୁଇଟି ଫିଲ୍ମ SVC59 ଏବଂ Vd14 ଘୋଷଣା ହୋଇଛି । ପୁଷ୍ପା ଫେମ ନିର୍ମାତା ରାହୁଲ ସଂକ୍ରିତ୍ରୟନ ଦ୍ୱାରା 'Vd14' ନିର୍ମାଣ ହେଉଥିବା ବେଳେ ନିର୍ମାତା ଦିଲ ରାଜୁ 'SVC59' ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ତେବେ ଫ୍ୟାନ୍ସଙ୍କୁ ତାରକା ଦୁଇଟି ଫିଲ୍ମ ଭେଟି ଦେଇଥିବାବେଳେ ସମସ୍ତେ ଉତ୍ସାହିତ ହେବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
'SVC59' ଫିଲ୍ମର ଘୋଷଣା
ବର୍ତ୍ତମାନ ଫିଲ୍ମର ନାମ ସ୍ଥିର ହୋଇନାହିଁ । ନାମ ଚୂଡାନ୍ତ ନହେବା ପର୍ଯ୍ୟନ୍ତ ଏହା 'SVC59' ଭାବରେ ଜଣାଶୁଣା । ଏହାର ନିର୍ଦ୍ଦେଶନା ଦେବେ ରବି କିରଣ କୋଲା । ନିର୍ଦ୍ଦେଶକ ଆଜି ନିଜ ଇନଷ୍ଟାଗ୍ରାମରେ ଫିଲ୍ମରୁ ଦମଦାର ପୋଷ୍ଟର ସେୟାର କରି ଏହାର ଘୋଷଣା କରିଛନ୍ତି । ଏହି ପୋଷ୍ଟରରେ ବିଜୟ ହାତରେ ଏକ ଅସ୍ତ୍ର ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ନିର୍ମାତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
'SVC 59' ଶ୍ରୀଭେଙ୍କଟେଶ୍ୱର କ୍ରିଏସନ୍ସ ବ୍ୟାନରରେ ଦିଲ ରାଜୁ ଏବଂ ଶିରିଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଦିଲ ରାଜୁ ପୂର୍ବରୁ ମଧ୍ୟ ବିଜୟଙ୍କ ସହ କାମ କରିଛନ୍ତି । ବିଜୟ ଦେବରାକୋଣ୍ଡାଙ୍କ ବ୍ୟତୀତ ଅନ୍ୟ କେଉଁ କଳାକାର ଅଭିନୟ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ । ରିପୋର୍ଟ ଅନୁଯାୟୀ, ଏହା ଏକ ଗ୍ରାମୀଣ ପୃଷ୍ଠଭୂମି ସହ ଆକ୍ସନ୍ ଡ୍ରାମା ଫିଲ୍ମ ହେବ । ଏହି ଚଳଚ୍ଚିତ୍ର ତେଲୁଗୁ ସମେତ ହିନ୍ଦୀ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।