ଓଡିଶା

odisha

ETV Bharat / entertainment

ଆସନ୍ତାକାଲି ସାରା ବିଶ୍ଵରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ 'ରଙ୍ଗଶୁର' - RANGASHOOR RELEASE WORLDWILDE

ଆସନ୍ତାକାଲି ସାରା ବିଶ୍ଵରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଓଡ଼ିଶାରେ ୬୦ଟି ହଲରେ କରିବ ମୁକ୍ତିଲାଭ ।

odia film rangashoor release
odia film rangashoor release (film poster)

By ETV Bharat Odisha Team

Published : Jan 11, 2025, 7:26 PM IST

ଭୁବନେଶ୍ୱର:ଆସନ୍ତାକାଲି(ରବିବାର) ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଓଡ଼ିଶାରେ ୬୦ଟି ହଲରେ ମୁକ୍ତିଲାଭ କରିବ । ପ୍ରକାଶ ବିତରକ ଏହି ମୁକ୍ତିଲାଭର ଦାୟିତ୍ୱ ନେଇଥିବା ବେଳେ ବଲିଉଡର ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି । ଯିଏ ଏହି ଫିଲ୍ମକୁ ସାରା ବିଶ୍ୱରେ ରିଲିଜ କରିବେ । ତେବେ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହ କୋରୋନା ପରେ ପ୍ରଥମ ଥର ପାଇଁ ଏହି ସିନେମା ଓଡ଼ିଶାରେ ଅଧିକ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଭୁବନେଶ୍ୱର ଆୟୋଜିତ ପ୍ରେସମିଟ ଜରିଆରେ ଫିଲ୍ମର ନିର୍ମାତା ଏବଂ ଷ୍ଟାରକାଷ୍ଟ ଏନେଇ ସୂଚନା ଦେଇଛନ୍ତି । ଫିଲ୍ମ ବିଶ୍ୱରେ ରିଲିଜ ନେଇ ଉତ୍ସାହିତ ଥିବା ସହ ଖୁସିବ୍ୟକ୍ତ କରିଛନ୍ତି ଫିଲ୍ମର ଷ୍ଟାରକାଷ୍ଟ ଓ ନିର୍ମାତା ।

'ରଙ୍ଗଶୁର' ଫିଲ୍ମର ଷ୍ଟାରକାଷ୍ଟ

ରଙ୍ଗଶୁର (ETV Bharat Odisha)

ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ଏହି ବିଗ ବଜେଟ ଫିଲ୍ମ ନିର୍ମିତ । ''ରଙ୍ଗଶୁର" ଫିଲ୍ମଟି ଓଡ଼ିଶାର ପରମ୍ପରା, ଲୋକକଳାକୁ ନେଇ ନିର୍ମିତ ହୋଇଛି । ଯାହାକୁ ନିର୍ଦ୍ଦେଶକ ପ୍ରତାପ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ଉମଙ୍ଗ, ହିମାଂଶୁ ଏବଂ ଶତ୍ରୁ ଏହାକୁ ଲେଖିଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଏହି ଚଳଚ୍ଚିତ୍ରରେ ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ ଏବଂ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି । ସୂର୍ଯ୍ୟମୟୀଙ୍କୁ ଏଥିରେ ନୂଆ ଏକ ରୂପରେ ନଜର ଆସିବେ । ପୂର୍ବରୁ ଫିଲ୍ମର ଟିଜର ଏବଂ ଟ୍ରେଲର ରିଲିଜ ହୋଇଥିବା ବେଳେ ଫିଲ୍ମ ଦେଖିବାକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ରଙ୍ଗଶୁର' ଫିଲ୍ମର କାହାଣୀ

'ରଙ୍ଗଶୁର' ଚଳଚ୍ଚିତ୍ର ଯାହା ଆମ ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ବାଘ ନାଚକୁ ନେଇ ଆସୁଛି । ବାଘ ନାଚ ଯାହା ସମାଜ ପ୍ରତି ଏକ ସୁପ୍ରଭାବ ପକାଉଥିଲା । ଏବେ ପ୍ରାୟ ବିଲୁପ୍ତ । ସେହି ବିଲୁପ୍ତ ବାଘ ନାଚ ଉପରେ ଆଧାରିତ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହେଉଥିବା ବେଳେ ମୁଖ୍ୟ ଚରିତ୍ର ବାପା ଏବଂ ଝିଅକୁ ନେଇ ଚିତ୍ରଣ ହେବ । ସେମାନେ ବାଘ ନାଚ କଳାକୁ କେମିତି ପୁନଃଉଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର ରଙ୍ଗ-ଶୁର । ବେଶ ସୁନ୍ଦର ଭାବେ ବାଘ ବେଶଧାରୀ ସୂର୍ଯ୍ୟମୟୀଙ୍କୁ ବାଘ ନୃତ୍ୟ ଚମତ୍କାର ଭାବେ କରୁଥିବା ଦେଖିବାକୁ ମିଳିବ । ଭିନ୍ନ କାହାଣୀରେ ପ୍ରସ୍ତୁତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଫିଲ୍ମ 'ରଙ୍ଗଶୁର' ଟିଜର ରିଲିଜ, ନୂଆ ଅବତାରରେ ସୂର୍ଯ୍ୟମୟୀ

'ରଙ୍ଗଶୁର' ଫିଲ୍ମ ଦେଉଛି ଏହି ଶିକ୍ଷଣୀୟ ବାର୍ତ୍ତା

'ରଙ୍ଗଶୁର' ଫିଲ୍ମରେ ବର୍ତ୍ତମାନ ଲୋପ ପାଇଥିବା 'ବାଘ' କଥା ମଧ୍ୟ ଦର୍ଶାଯାଇଛି । ଜଙ୍ଗଲ, ବନ୍ୟ ଲୋପ ପାଉଥିବା ବେଳେ ବ୍ୟାଘ୍ର ବଂଶ ମଧ୍ୟ ଲୋପ ପାଇଛି । ଯାହାକୁ ଏହି ଫିଲ୍ମରେ ଦର୍ଶାଯାଇଥିବା ବେଳେ ଜଙ୍ଗଲ, ବାଘର ସୁରକ୍ଷାକୁ ନେଇ ଏହି ଫିଲ୍ମରେ ଏକ ଶିକ୍ଷଣୀୟ ବାର୍ତ୍ତା ରହିଛି । କେବଳ ଏତିକି ନୁହେଁ ଜଣେ ପୁରୁଷ ନୁହଁ ଜଣେ ମହିଳା ମଧ୍ୟ ନିଜ ପରମ୍ପରାକୁ ଆଗକୁ ବଢାଇପାରିବ । ଝିଅମାନେ ମଧ୍ୟ ଏହି ନାଚ କରିପାରିବେ । ତାହା ମଧ୍ୟ ଏଥିରେ ବାର୍ତ୍ତା ଦିଆଯାଇଛି । ଆମେ ସବୁବେଳେ ପୁରୁଷଙ୍କୁ ବାଘ ନାଚ କରିଆସୁଥିବାର ଦେଖି ଆସିଛୁ । ହେଲେ ଏହି ଫିଲ୍ମରେ ଏହି ଧାରାକୁ ଭାଙ୍ଗି ଜଣେ ଝିଅ ନିଜ ପରମ୍ପରାକୁ ବଜାୟ ରଖିଛି କିପରି ତାହା ଦର୍ଶାଯାଇଥିବା କହିଛନ୍ତି ନିର୍ଦ୍ଦେଶକ ପ୍ରତାପ ରାଉତ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details