ହାଇଦ୍ରାବାଦ:ଗତ କିଛି ଦିନ ହେବ ଦେଶବାସୀଙ୍କ ମଧ୍ୟରେ କୋରୋନା ଟିକାକୁ ନେଇ ଭୟର ବାତାବରଣ ରହିଛି । କାରଣ କୋରୋନା ସମୟରେ ଦିଆଯାଇଥିବା କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା କଥା ନିକଟରେ ପ୍ରକାଶ ପାଇଛି । ଏହି ଟିକାରେ ରକ୍ତ ଜମାଟ ବାନ୍ଧିପାରେ । ଯାହାଦ୍ୱାରା ହୃଦଘାତ ଓ ମସ୍ତିଷ୍କ ଘାତ ହୋଇପାରେ ବୋଲି ଟିକା ନିର୍ମାତା କମ୍ପାନୀ ପକ୍ଷରୁ ପ୍ରଥମ ଥର ପାଇଁ ସ୍ୱୀକାର କରାଯାଇଥିଲା । ଯାହାପରେ ଏହି ଟିକା ନେଇଥିବା ସମସ୍ତ ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିକଟରେ ହୃଦଘାତର ଶିକାର ହୋଇଥିବା ବଲିଉଡ ଅଭିନେତା ଶ୍ରେୟସ ତଲପଡେ ଏବେ ଏହି ଟିକା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ହୃଦଘାତ କୋଭିଡ-19 ଟିକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏହା ବିଷୟରେ ସେ ଅଧିକ ଜାଣିବାକୁ ଚାହୁଁଛନ୍ତି ।
ଏକ ସାକ୍ଷାତକାରରେ ଶ୍ରେୟସ ତଲପଡେ ନିଜ ସ୍ୱାସ୍ଥ୍ୟବସ୍ଥା ନେଇ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ସେ କୋଭିଡ-19 ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ହୃଦଘାତର ଶିକାର ହୋଇଥିବାର ସମ୍ଭାବନା ଅଛି ବୋଲି ପ୍ରକାଶ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି, ତଥାପି ହୃଦଘାତର କିପରି ଶିକାର ହେଲେ । ଅଭିନେତା କହିଛନ୍ତି, ମୁଁ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଛି କି ଏହା କୋରୋନା କାରଣରୁ ହୋଇଛି ନା ଟୀକାକରଣର ପ୍ରଭାବ ।
ଶ୍ରେୟସ କହିଛନ୍ତି ଯେ, 30ରୁ 40 ବର୍ଷ ବୟସର ଲୋକମାନେ ହୃଦଘାତର ଅଭିଯୋଗ କରିଥିବାବେଳେ ଅନେକ ଲୋକଙ୍କ ହଠାତ୍ ମୃତ୍ୟୁ ମଧ୍ୟ ହେଉଛି । ମୁଁ ନିଜକୁ ନେଇ ବହୁତ ଡରୁଥିଲି । ମୋର ଖାଦ୍ୟ, ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଉଥିଲି ଏବଂ ସତର୍କ ବି ରହୁଥିଲି । ମୁଁ ଧୂମ୍ରପାନ କରେ ନାହିଁ କିମ୍ବା ନିୟମିତ ମଦ ପିଏ ନାହିଁ । କେବଳ ମାସକୁ ଥରେ ମଦପାନ କରେ । କୌଣସି ତମାଖୁ ମଧ୍ୟ ସେବନ କରେନି । କିନ୍ତୁ ହଁ, ମୋର କୋଲେଷ୍ଟ୍ରଲ ଟିକିଏ ବୃଦ୍ଧି ପାଇଥିଲା । ଯାହା ମୋତେ କୁହାଯାଇଥିଲା ଏହା ସ୍ୱାଭାବିକ । ହେଲେ ବି ମୁଁ ଏଥିପାଇଁ ଔଷଧ ଖାଉଥିଲି । ଫଳରେ ଏହା ବହୁ ପରିମାଣରେ ହ୍ରାସ ପାଇଥିଲା । ଏଥିସହ ମୁଁ ମଧୁମେହ କିମ୍ୱା ରକ୍ତଚାପରେ ପୀଡ଼ିତ ନୁହଁ । ଏହାସତ୍ତ୍ବେ ମୋତେ ହୃଦଘାତ ହେବାର କାରଣ କ’ଣ ହୋଇପାରେ ?