ପୁରୀ/ବ୍ରହ୍ମପୁର : ପୁଣି ବଦଳିଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ଧାଡି ଦର୍ଶନ ଆରମ୍ଭ ତାରିଖ । ଚଳିତମାସ (ଜାନୁଆରୀ) 20 ତାରିଖରୁ ନହେଁ ବରଂ (ଆସନ୍ତାମାସ) ଫେବୃଆରୀ 1 ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ନାଟ ମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ସମୟ ଘୁଞ୍ଚାଯାଇଛି । ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
- ନାଟ ମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ କାରଣରୁ ବିଳମ୍ବ: ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି, ''ଚଳିତ ମାସ 20 ତାରିଖରୁ ସମ୍ପୂର୍ଣ୍ଣ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସମସ୍ତ ପ୍ଲାର୍ଟଫର୍ମ ପ୍ରସ୍ତୁତ ହୋଇସାରିଥିବା ବେଳେ ଏଥିରେ ଗୋଟିଏ ପ୍ରତିବନ୍ଧକ ରହିଥିଲା ଏବଂ ସାମାନ୍ୟ ଚର୍ଚ୍ଚା ଓ ଆଲୋଚନା ରହିଥିଲା । ଏପରିକି ନାଟ ମଣ୍ଡପ ମଧ୍ୟରେ ଯେଉଁ ହୁଣ୍ଡି ରହିଛି ତାହାର ସ୍ଥାନାନ୍ତରଣ ପ୍ରକ୍ରିୟା ଦରକାର ରହିଛି । ଯାହାକି ହୁଣ୍ଡିକୁ ସ୍ଥାନାନ୍ତରଣ କରିବା ପାଇଁ ଔପଚାରିକତା ପ୍ରକ୍ରିୟା ବାକି ରହିଥିବା ବେଳେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦରକାର । ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ଆସନ୍ତା ଜାନୁଆରୀ 20 ବଦଳରେ ଫେବୃଆରୀ 1 ତାରିଖରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବୁ ବୋଲି ନିଷ୍ପତ୍ତି ହୋଇଛି । ''
- ଅସ୍ଥାୟୀ ବ୍ୟାରିକେଡ଼ ସହିତ ରହିବ ରାମ୍ପର ବ୍ୟବସ୍ଥା
ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ସାତପାହାଚଠାରୁ ନାଟ ମଣ୍ଡପ ଦେଇ ଜୟ-ବିଜୟ ଦ୍ଵାର ପର୍ଯ୍ୟନ୍ତ ଏକ ଅସ୍ଥାୟୀ ବ୍ୟାରିକେଡ଼ ସହିତ ରାମ୍ପର ବ୍ୟବସ୍ଥା ରହିବ । ଯେଉଁ ବ୍ୟାରିକେଡ଼ ଦେଇ ଭକ୍ତମାନେ ଧାଡି଼ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାଦ୍ବାରା ଶୃଙ୍ଖଳିତ ଦର୍ଶନ ସହିତ ଭକ୍ତମାନେ ଏକ ଭଲ ଅନୁଭୂତି ନେଇ ଫେରିବେ ବୋଲି ସରକାର ଆଶା ରଖିଛନ୍ତି । ଯାହାକି ମହାପ୍ରଭୁଙ୍କ ଦର୍ଶନ ସମୟରେ ଆଉ ଠେଲାପେଲା ପରିସ୍ଥିତି ହେବ ନାହିଁ । ଭକ୍ତମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଦର୍ଶନ କରି ଫେରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ସମସ୍ତ ବ୍ୟବସ୍ଥା ସରିଛି, ଶୃଙ୍ଖଳିତ ହେବ ଧାଡି ଦର୍ଶନ : ଆଇନ୍ ମନ୍ତ୍ରୀ - DHADI DARSHAN ଏହା ମଧ୍ୟ ପଢନ୍ତୁ-ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ଖୁବଶୀଘ୍ର ହେବ ଟ୍ରାଏଲ ରନ୍ - DHADI DARSHAN |
- 6 ଟି ଧାଡିରେ ପ୍ରବେଶ କରିବେ ଶ୍ରଦ୍ଧାଳୁ
ଏଥିପାଇଁ ମୋଟ ୬ଟି ଲାଇନରେ ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟି ଦ୍ବାର ଏବଂ ଗାରଦ ଦ୍ବାର ପଟେ ପ୍ରତ୍ୟାବର୍ତ୍ତନ କରିବେ । ବ୍ୟାରିକେଡ଼ର ପ୍ରଥମ ଧାଡ଼ିରେ ଦିବ୍ୟାଙ୍ଗ ଭକ୍ତ, ଦ୍ବିତୀୟରେ ବରିଷ୍ଠ ନାଗରିକ, ତୃତୀୟ ଧାଡ଼ିରେ ମହିଳା ଏବଂ ଅନ୍ୟ ଧାଡ଼ିରେ ସାଧାରଣ ଭକ୍ତମାନେ ଦର୍ଶନ କରିବେ । ଏହାଦ୍ବାରା ନାଟମଣ୍ଡପରେ ଆଉ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବନାହିଁ । ଯାହାକି ଏହି ବ୍ୟବସ୍ଥା ହେଲେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ବୋଲି ଆଶା କରାଯାଉଛି । ଏହି ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଅସ୍ଥାୟୀ ରାମ୍ପର ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
- ରାଜ୍ୟରେ ବିଜେପି ସରକାର ଆସିବା ପରେ 4 ଦ୍ବାର ଖୋଲିଥିଲା
ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଥିଲା । ହେଲେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ସଠିକ୍ ଭାବରେ ଦର୍ଶନ କରିପାରୁନଥିବା ଅନେକ ଥର ଅଭିଯୋଗ ଆସିବାର ନଜର ରହିଛି । ଅନେକ ସମୟରେ ନାଟମଣ୍ଡପ ଭିତରେ ଠେଲାପେଲା ସ୍ଥିତି ହେଉଥିବାରୁ ଅନେକ ଭକ୍ତ ଚେତାଶୂନ୍ୟ ହୋଇପଡୁଥିବା ବେଳେ କେତେକ ଭକ୍ତ ଆହତ ମଧ୍ୟ ହେଉଛନ୍ତି । ବିଶେଷ କରି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁମାନେ ପ୍ରବଳ ଭିଡ ଯୋଗୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର