ହାଇଦ୍ରାବାଦ: ପ୍ରତିବର୍ଷ ପରି ଫୋର୍ବସ ଇଣ୍ଡିଆ ପତ୍ରିକା ପକ୍ଷରୁ ଚଳିତ ବର୍ଷ ମଧ୍ୟ '୩୦ ଅଣ୍ଡର ୩୦' ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୩୦ ବର୍ଷରୁ କମ ୩୦ଜଣ ପ୍ରତିଭାବାନ ଯୁବାଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କାମ କରି ସଫଳତା ହାସଲ କରିଛନ୍ତି । ତେବେ ଏହି ତାଲିକାରେ ଚଳିତ ବର୍ଷ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ କ୍ଷେତ୍ରରୁ ୩ ଜଣଙ୍କ ନାଁ ସାମିଲ ରହିଛି । ଏଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦନା, ରାଧିକା ମଦନ ଏବଂ ଅଦିତି ସେହଗଲ ରହିଛନ୍ତି ।
ରଶ୍ମିକା ମନ୍ଦନା
ଏହି ତାଲିକାରେ ୨୭ବର୍ଷୀୟା ରଶ୍ମିକା ମନ୍ଦନାଙ୍କ ନାମ ଅନ୍ତର୍ଭୁକ୍ତ । ରଶ୍ମିକା ଏକ ପୋଷ୍ଟରେ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରି କୃତଜ୍ଞତା ଜଣାଇଛନ୍ତି । ରଶ୍ମିକାଙ୍କ ଏହି ପୋଷ୍ଟରେ ବିଜୟ ଦେବରକୋଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି । ଏହି ଅଭିନେତ୍ରୀ ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ ପାଇଁ ଜଣାଶୁଣା । ଗତ ବର୍ଷ ତାଙ୍କର ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ୩ଟି ଯାକ ଫିଲ୍ମକୁ ଲୋକେ ବେଶ ପସନ୍ଦ କରିବା ସହ ହିଟ୍ ମଧ୍ୟ ହୋଇଥିଲା ।
କହିରଖୁଛୁ କି, ୨୦୨୩ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରଟି ଥିଲା ଏକ ଆକ୍ସନ୍ ଫିଲ୍ମ 'ୱାରିସୁ' । ଏହି ଚଳଚ୍ଚିତ୍ର ବିଶ୍ୱ ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ଆୟ କରିଥିଲା । ଫିଲ୍ମରେ ଅଭିନେତ୍ରୀ ସୁପରଷ୍ଟାର ଥାଲାପତି ବିଜୟଙ୍କ ସହ ନଜର ଆସିଥିଲେ । ଏହା ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କୁ 'ମିଶନ ମଜନୁ'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ରଣବୀର କପୁରଙ୍କ ସହ 'ଆନିମଲ'ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୯୦୦କୋଟି ଟଙ୍କା ଆୟ କରି ବ୍ଲକବ୍ଲଷ୍ଟର ଫିଲ୍ମ ଭାବେ ପରିଗଣିତ ହୋଇଥିଲା । ତେବେ ଏହି ବର୍ଷ ରଶ୍ମିକାଙ୍କୁ 'ପୁଷ୍ପା ୨: ଦ ରୁଲ', 'ଇନ୍ଦ୍ରଧନୁ', 'ଗର୍ଲଫ୍ରେଣ୍ଡ' ଏବଂ 'ଛାଭା'ରେ ଦେଖିବାକୁ ମିଳିବ ।