ହାଇଦ୍ରାବାଦ:ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରତ୍ୟେକ ଦଳର କସରତ ଜୋରସୋରରେ ଚାଲିଛି । ନିକଟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଚାଲିଛି ନିର୍ବାଚନୀ ପ୍ରଚାର ପ୍ରସାରରେ ଦୁଲୁକୁଛି ମୈଦାନ । ଏହାରି ମଧ୍ୟରେ ଏହି ନିର୍ବାଚନୀ ପ୍ରଚାର ପାଇଁ ତାରକାମାନେ ନିର୍ଦ୍ଦିଷ୍ଟ ଦଳ ପାଇଁ ମୈଦାନକୁ ଓହ୍ଲାଉଥିବାର ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ଇଣ୍ଟରନେଟର ଯୁଗରେ ଏହା ଆହୁରି ସହଜ ସୁବିଧା ହୋଇପାରୁଛି । ଏଭଳି ପରିସ୍ଥିତିରେ ଅନେକ ତାରକାଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବଲିଉଡ ତାରକା ମାନେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଆମୀର ଖାନଙ୍କ ଏକ ପ୍ରଚାର ଭିଡିଓ ଆସିଥିବା ବେଳେ ଏବେ ରଣଭୀର ସିଂଙ୍କ ଭିଡିଓ ଭାଇରାଲ ହେଉଛି । ତେବେ ଆମୀର ଏହାକୁ ବିରୋଧ କରି କୌଣସି ଦଳକୁ ସମର୍ଥନ କରୁନଥିବା କହିଥିଲେ । ବର୍ତ୍ତମାନ ରଣଭୀର ମଧ୍ୟ ଏହି ଭିଡିଓକୁ ବିରୋଧ କରି ମାମଲା ରୁଜୁ କରିଛନ୍ତି ।
ବଲିଉଡ ଅଭିନେତା ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଅନ୍ୟ ଦଳକୁ ପ୍ରୋତ୍ସାହିତ କରୁଥିବା ନଜର ଆସିଛନ୍ତି । ବାସ୍ତବରେ ମୂଳ ଭିଡିଓରେ ରଣଭୀର ସିଂ ବାରାଣାସୀର ହୋଇଥିବା ପରିବର୍ତ୍ତନ ଏବଂ ଐତିହ୍ୟକୁ ନେଇ ନିଜର ଅଭିଜ୍ଞତା ସେୟାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଯାହାକୁ AI ସାହାଯ୍ୟରେ ରଣଭୀରଙ୍କ ଭଏସକୁ ବଦଳାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ତେବେ ଏହା ଏକ ଡିପଫେକ ମାମଲା । ଯାହାକୁ ନେଇ ଅଭିନେତା ବର୍ତ୍ତମାନ ମାମଲା ରୁଜୁ କରୁଛନ୍ତି ।