ହାଇଦ୍ରାବାଦ:ନିକଟରେ, ଲସ୍ ଆଞ୍ଜେଲସର ପ୍ରଶାନ୍ତ ମହାସାଗରୀୟ ପାଲିସଡେସ୍ ଅଞ୍ଚଳରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ଜାନୁଆରୀ 7ରୁ ଜଙ୍ଗଲ ଜଳୁଥିବା ବେଳେ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ପ୍ରାୟ 30 ହଜାର ଲୋକ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ବୁଧବାର ସନ୍ଧ୍ୟା ସୁଦ୍ଧା, ନିଆଁ ଅଧିକାଂଶ ଅଞ୍ଚଳକୁ ଗ୍ରାସ କରିଥିବା ବେଳେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଲୋକଙ୍କ ମଧ୍ୟରେ ଅଭିନେତା, ସଂଗୀତଜ୍ଞ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ରହିଛନ୍ତି ଯାହାଙ୍କ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି, ଯେଉଁଥିରେ ମୈଣ୍ଡି ମୁର୍, ପ୍ୟାରିସ୍ ହିଲଟନ୍ ଏବଂ କ୍ୟାରି ଏଲୱେସ୍ ଭଳି ତାରକା ସାମିଲ ଅଛନ୍ତି । କାଲିଫର୍ଣ୍ଣିଆର ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ଘଟଣା ନେଇ ଏମରଜେନ୍ସି ଘୋଷଣା କରିଥିବା ବେଳେ ୭୦,୦୦୦ ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ କହିଛନ୍ତି । ଯେତେବେଳେ ୧୩,୦୦୦ରୁ ଅଧିକ କୋଠା ବିପଦରେ ଅଛି । ସେପଟେ ଲସ୍ ଆଞ୍ଜେଲସ୍ରେ ରହୁଥିବା ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିକ୍ରିୟା
ଏହି ସମୟରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ଘଟଣାରେ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ସେ ଏହି ଅଗ୍ନିକାଣ୍ଡର ଭୟଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଯେକୌଣସି ବ୍ୟକ୍ତିଙ୍କୁ ଭୟଭୀତ କରିପାରେ । ଭିଡିଓରେ ଜଙ୍ଗଲରେ ନିଆଁ ଜଳୁଥିବାର ଦେଖାଯାଉଛି । ପ୍ରିୟଙ୍କା ଏହି ଦୁଃଖଦ ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି, 'ପ୍ରଭାବିତ ସମସ୍ତ ଲୋକଙ୍କ ସହ ମୋର ସମବେଦନା । ଆଶା କରୁଛି ଆଜି ରାତିରେ ଆମେ ସମସ୍ତେ ସୁରକ୍ଷିତ ରହିବା ।'
ଅଗ୍ନିଶମ ବିଭାଗର କଲେ ପ୍ରଶଂସା
ଏହା ସହ ପ୍ରିୟଙ୍କା ଚୋପ୍ରା ଅଗ୍ନିଶମ ବିଭାଗର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି । ରାତିସାରା ନିଆଁ ଲିଭାଇ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିବାରୁ ସେ ଅଗ୍ନିଶମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । କହିରଖୁଛୁ କି, ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରଶାନ୍ତ ମହାସାଗର ପାଲିସଡେସ୍ ଅଞ୍ଚଳର ପ୍ରାୟ 3,000 ଏକର ଜମି ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଅନେକ କୋଠା ନଷ୍ଟ ହୋଇଯାଇଛି ।