ବ୍ରହ୍ମପୁର: ଅନ୍ନଦାତାଙ୍କ ପ୍ରତି ଅବହେଳା ପଡିଲା ମହଙ୍ଗା । 11 ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ । ଚାଷୀଙ୍କ ଅମଳ ହୋଇଥିବା ଧାନକୁ ଉଠାଇବାରେ ଅବହେଳା କରାଯାଇଥିବା ବାରମ୍ବାର ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଗଞ୍ଜାମ ପ୍ରଶାସନ । ଏନେଇ ବାରମ୍ୱାର ଜିଲ୍ଲାର ଚାଷୀ ଓ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରିବା ପରେ ଶେଷରେ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣ ଜଣାପଡିବା ପରେ ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଧାନ ଉଠାଇବାରେ ଅବହେଳା:
ଗଞ୍ଜାମ ଜିଲ୍ଲାରେ ଗତ ଜାନୁଆରୀ ୩ରେ ମଣ୍ଡିର ଶୁଭାରମ୍ଭ କରାଯାଇ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାର ୨୨ ଗୋଟି ବ୍ଲକରେ ନିୟୋଜିତ ରହିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ତାଙ୍କ ସହ ଟ୍ୟାଗିଙ୍ଗ୍ କରାଯାଇଥିବା ମିଲର ମାନେ ଧାନ ସଂଗ୍ରହ କରିବା କାର୍ଯ୍ୟ ଅବହେଳା କରୁଥିବା ନେଇ ଅଭିଯୋଗ ଆସୁଥିଲା । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମୀକ୍ଷା କରି ଏଭଳି ବିଭିନ୍ନ ବ୍ଲକ ଓ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକର ମିଲର ମାନଙ୍କୁ ଏଭଳି କାରଣ ଦର୍ଶାଓ ନୋଟିସ୍ ଜାରି କରାଯାଇଛି ।
ଗଞ୍ଜାମର କେଉଁ ବ୍ଲକରେ କେତେ ମିଲରଙ୍କୁ ନୋଟିସ୍:
ମଣ୍ଡିରୁ ଧାନ ଉଠାଇବାରେ ଅବହେଳା ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ତାଲିକାରେ ଜିଲ୍ଲାର ଛତ୍ରପୁରର ୪ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମପୁର ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
- ଛତ୍ରପୁର -4ଜଣ
- ଗଞ୍ଜାମ-4 ଜଣ
- ପୁରୁଷୋତ୍ତମପୁର-3 ଜଣ
ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ:
ସୂଚନାନୁଯାୟୀ, ଗତ ୨୦ ତାରିଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡିରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଅଛି । ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।
ଧାନ ସଂଗ୍ରହ କରୁନଥିବାରୁ ବଢୁଛି ଅସନ୍ତୋଷ:
ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଥିବା ବେଳେ ଚାଷୀ ମାନେ ଟୋକେନ୍ ପାଇଛନ୍ତି । ହେଲେ ସେମାନଙ୍କ ଅମଳ ଧାନକୁ ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଧାନ ସଂଗ୍ରହ କରୁନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରଷୋତ୍ତମପୁର ବ୍ଲକ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ହେଲେ ପ୍ରଶାସନର ଏଭଳି କାରଣ ଦର୍ଶାଓ ନୋଟିସ୍ ପରେ ମିଲର ମାନେ ସେମାନଙ୍କୁ ମିଳିଥିବା ଟାର୍ଗେଟ ପୂରଣ କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହାରି ଉପରେ ରହିଛି ସମସ୍ତଙ୍କର ନଜର ।
ଇଟିଭି ଭାରତ, ବ୍ରହ୍ମପୁର