ଭୁବନେଶ୍ୱର: ଉତ୍କର୍ଷ ଓଡିଶା,ମେକ ଇନ ଓଡିଶା ୨୦୨୫କୁ ନେଇ ବେଶ ଉତ୍ସାହିତ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୩୨ ହଜାର ୭୩୬ କୋଟିର ନିବେଶକୁ ଅନୁମୋଦନ ମିଳିଛି । ମଞ୍ଜୁରୀ ପାଇଥିବା ୮ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୮,୬୮୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
୮ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୮ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପରେ ୩୨ ହଜାର ୭୩୬ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୮ ହଜାର ୬୮୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ମୋହନ ସରକାର ସମନ୍ବିତ ଶିଳ୍ପର ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ଏହି କ୍ରମରେ ରସାୟନ, ସବୁଜ ଶକ୍ତି ଯନ୍ତ୍ରପାତି, ଜାହାଜ ତିଆରି ଓ ମରାମତି ସାଙ୍ଗକୁ ଇସ୍ପାତ ଭଳି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଛି । ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର ଓ ସମ୍ବଲପୁରରେ ହେବାକୁ ଥିବା ଏହି ଶିଳ୍ପ ଦ୍ବାରା ଅର୍ଥନୈତିକ ବିକାଶ ସାଙ୍ଗକୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
Joined the 39th High-Level Clearance Authority meeting at Lok Seva Bhawan, where we approved ₹32,736 crore worth of investments across 8 transformative projects. These initiatives will generate 18,688 jobs and boost Odisha’s industrial growth across sectors like chemicals, green… pic.twitter.com/UxcJoDq6Yj
— Mohan Charan Majhi (@MohanMOdisha) January 24, 2025
ହଜାର ହଜାର ନିଯୁକ୍ତି ସୁଯୋଗ ସମ୍ଭାବନା:
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ମୁମ୍ବାଇ, ଦିଲ୍ଲୀ, ସିଙ୍ଗାପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଡ ଶୋ ହୋଇଛି । ଏହାପରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଆଗାମୀ ଦିନରେ ଓଡିଶା ପୁଞ୍ଜିନିବେଶର ଅଲଟିମେଟ ଡେଷ୍ଟିନେସନ ହେବ । ଚଳିତ ମାସରେ ବସିଛି ଦ୍ଵିତୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ । ଉତ୍କର୍ଷ ଓଡିଶା ପୂର୍ବରୁ ଅନୁମୋଦିତ ଏହି ବୃହତ ଶିଳ୍ପ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ଶକ୍ତିକୁ ଦର୍ଶାଉଛି । ଏହି ନିବେଶ ଦ୍ୱାରା ସିଧାସଳଖ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିବେଶ ଦ୍ଵାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ ।
ମଞ୍ଜୁରୀ ପାଇଥିବା କମ୍ପାନୀଗୁଡିକ ହେଲା:
ମଞ୍ଜୁରୀ ପାଇଥିବା କମ୍ପାନୀ ମଧ୍ୟରେ ରହିଛି ଖୋର୍ଦ୍ଧାରେ ପ୍ରସ୍ତାବିତ ସବୁଜ ଶକ୍ତି ଯନ୍ତ୍ରପାତି କାରଖାନା । ଏଥିପାଇଁ ଖୋସମା ଗ୍ରୀନ ଏନର୍ଜି ୬,୯୪୮ କୋଟି ଟଙ୍କା ନିବେଶ କରିବ । ଏହା ଦ୍ୱାରା ୨,୮୯୮ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜଗତସିଂହପୁରରେ ଧୁନସେରୀ ଭେଞ୍ଚର୍ସ ପକ୍ଷରୁ ରସାୟନ କାରଖାନା ପାଇଁ ୬,୨୫୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ୧,୯୦୦ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସେହିପରି ୟୁନାଇଟେଡ ପେଟ୍ରୋ ସିପିଙ୍ଗ ପକ୍ଷରୁ ୫,୬୩୭ କୋଟି ନିବେଶରେ ଜାହାଜ ତିଆରି ଓ ମରାମତି କାରଖାନା ପ୍ରତିଷ୍ଠା କରାଯିବ । ଜଗତସିଂହପୁରରେ ପ୍ରସ୍ତାବିତ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୧,୬୯୦ ନିଯୁକ୍ତି ସୃଷ୍ଟି ହେବ ।
କେଉଁ ସବୁ କମ୍ପାନୀକୁ ମିଳିଛି ମଞ୍ଜୁରୀ:
- ଖୋସମା ଗ୍ରୀନ ଏନର୍ଜି
- ଧୁନସେରୀ ଭେଞ୍ଚର୍ସ
- ୟୁନାଇଟେଡ ପେଟ୍ରୋ ସିପିଙ୍ଗ
- ୟୁପିଏଲ ଲିମିଟେଡ
- ଡିସିଏମ ଶ୍ରୀରାମ
- ରତ୍ନମଣି ମେଟାଲ୍ସ
- ହିଣ୍ଡାଲକୋ
- ଏଫଏସ ଗ୍ରୀନ ଏନର୍ଜୀ
ସେହିଭଳି ଗଞ୍ଜାମରେ ୟୁପିଏଲ ଲିମିଟେଡ ଓ ଡିସିଏମ ଶ୍ରୀରାମ ପକ୍ଷରୁ ଦୁଇଟି କେମିକାଲ ଫ୍ୟାକ୍ଟି ପ୍ରତିଷ୍ଠା କରାଯିବ । ଉଭୟ ପ୍ରକଳ୍ପରେ ଯଥାକ୍ରମେ ୪୦୦୧ ଓ ୫୨୦୦ କୋଟି ଟଙ୍କା ନିବେଶ ହେବ । ଫଳରେ ଉଭୟ ପ୍ରକଳ୍ପରେ ୬୧୦୦ ଜଣଙ୍କ ଲାଗି ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ଭଦ୍ରକରେ ରତ୍ନମଣି ମେଟାଲ୍ସ ପକ୍ଷରୁ ଷ୍ଟିଲ ରଡ ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ । ୬୦୦ ନିଯୁକ୍ତି ସମ୍ଭାବନା ରହିଛି । ସମ୍ବଲପୁରରେ ହିଣ୍ଡାଲକୋ ୨ ହଜାର କୋଟି ନିବେଶ କରିବ । ଏକ କେମିକାଲ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହେବା ଦ୍ଵାରା ୧୫୦୦ ନିଯୁକ୍ତି ସୃଷ୍ଟି ହୋଇପାରିବ । ଗଞ୍ଜାମରେ ଏଫଏସ ଗ୍ରୀନ ଏନର୍ଜୀ ପ୍ରାଇଭେଟ ଲିମିଟେଡ଼ ଏକ ସବୁଜ ଶକ୍ତି ଯନ୍ତ୍ରପାତି ଶିଳ୍ପ ପ୍ରତିଷ୍ଠା କରିବ । ୧୫୦୦ କୋଟି ନିବେଶରେ ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରସ୍ତାବିତ ଶିଳ୍ପ ଅନୁମୋଦନ ଲାଗି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ତଥ୍ୟ ଉପସ୍ଥାପନ କରିଛନ୍ତି । ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ଜାନୁଆରୀ ୧ରେ ରାଜ୍ୟରେ ୪୨୨୨ କୋଟି ୨୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ମଞ୍ଜୁରୀ ଦେଇଥିଲା । ୨୫ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୪ ହଜାର ୪୯୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ୪୪,୭୯୩.୦୩ କୋଟି ନିବେଶକୁ ମଞ୍ଜୁରୀ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୩,୦୦୫ ନିଯୁକ୍ତି ମିଳିବ ବୋଲି କୁହାଯାଇଛି । ସେହିପରି ଗତ ୨୨ ତାରିଖରେ ୩୮୮୩ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ଦେଇଛି । ୧୭ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୨୨୮୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇଟିଭି ଭାରତ, ଭୁବନେଶ୍ୱର