ଭୁବନେଶ୍ବର: ବଡ ପରଦାରେ ମୁକ୍ତିଲାଭ କରିଛି ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱନୀ । ଆଜି ଭୁବନେଶ୍ୱରର ସ୍ତୁତି ହଲରେ ଏହାର ପ୍ରିମିଅର ହୋଇଥିବା ବେଳେ ହାଉସ ଫୁଲ ରହିଥିଲା । ସିନେମାଟି ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଛି । ଏହି ଫିଲ୍ମ ଗଞ୍ଜାମ ଜିଲ୍ଲାର ସେବିକା କେ କ୍ରୀଷ୍ଣା କୁମାରୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ସମାଜ ପାଇଁ ୧୬ଟି ସଚେତନତା ବାର୍ତ୍ତା ରହିଛି । ଏହି ସିନେମାଟି ୪୨ଟି ଦେଶର ବିଭିନ୍ନ ଭାଗରେ ପ୍ରଦର୍ଶିତ ହୋଇସାରିଥିବା ବେଳେ ୫ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାତେଇ ସାରିଛି ।
ଏହି ଫିଲ୍ମରେ କେ କ୍ରୀଷ୍ଣା କୁମାରୀଙ୍କ ଜୀବନ ସଂଘର୍ଷର ପ୍ରତିଟି ଚିତ୍ର ଓ ଚରିତ୍ରକୁ ଦର୍ଶାଯାଇଛି । ଗଞ୍ଜାମରୁ ଦିଲ୍ଲୀ ରାଷ୍ଟପତି ଭବନ ଯାଏଁ ସେବା ପାଇଁ ସମ୍ମାନ ପାଇଥିବା ଜଣେ ସେବିକାର ଦୂରଦୃଷ୍ଟି ସଂପନ୍ନ ପାରଦର୍ଶିତାକୁ କାହାଣୀ ମାଧ୍ୟମରେ ଦେଖାଯାଇଛି । ଆଜି ପ୍ରଥମ ଦିନରେ ହିଁ ଏହି ସଚେତନତାଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ଭିଡ ରହିଥିଲା । ସିନେମାଟି ଏକ ବାସ୍ତବଧର୍ମୀ ଓ ମୌଳିକ କାହାଣୀରୁ ଆଧାରିତ ହୋଇଥିବା ବେଳେ ସବୁ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିଛନ୍ତି ଆଉ ଭଲ ପାଇବା ଦେଇଛନ୍ତି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସୁଶ୍ରୀ ରଥଙ୍କୁ ଦେଖିବାକୁ ମିଳିଛି । ଅନ୍ୟ ଭୂମିକାରେ ଅଭିନେତା କୁନା ତ୍ରିପାଠୀ, ରବି ମିଶ୍ର, ଜୀବନ ପଣ୍ଡା, ପଲ୍ଲବୀ ଓ ଜୟଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଜୟଲକ୍ଷ୍ମୀ ମିଶ୍ର ପ୍ରଯୋଜିତ କୁନାଲ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଓଡ଼ିଶାର ମୌଳିକ କଥାବସ୍ତୁ ବା ଓଡ଼ିଶା ଝିଅର କାହାଣୀ ହୋଇଥିବା ବେଳେ ପ୍ରତିଟି ଓଡ଼ିଆ ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।