ଓଡିଶା

odisha

ETV Bharat / entertainment

ଇତିହାସ ରଚିଲେ ଓଡିଆ ଝିିଅ ତ୍ରିଷ୍ଣା ରାୟ, ପିନ୍ଧିଲେ ମିସ୍ ଟିନ୍ ୟୁନିଭର୍ସ ତାଜ୍‌ - MISS TEEN UNIVERSE TRISHNA RAY

ମିସ୍ ଟିନ୍ ୟୁନିଭର୍ସ-2024 ବିଜୟୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ତ୍ରିଷ୍ଣା ରାୟ । ବିଭିନ୍ନ ଆଡୁ ଶୁଭେଚ୍ଛା

Odisha Girl Trishna Ray Crowned Miss Teen Universe 2024
Odisha Girl Trishna Ray Crowned Miss Teen Universe 2024 (ETV Bharat Odisha)

By ETV Bharat Entertainment Team

Published : Nov 13, 2024, 10:32 AM IST

ଭୁବନେଶ୍ୱର: ‘ମିସ୍ ଟିନ୍ ୟୁନିଭର୍ସ-2024’ ଟାଇଟଲ ହାତେଇଲେ ଓଡ଼ିଶାର ଝିଅ ତ୍ରିଷ୍ଣା ରାୟ । ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ଅନୁଷ୍ଠିତ ‘ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪’ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ପଛରେ ପକାଇ ତ୍ରିଷ୍ଣା ବିଜେତା ହୋଇଛନ୍ତି । ଏହି ସଫଳତା ହାସଲ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ତାଙ୍କ ବିଜୟ ନେଇ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଓଡ଼ିଶାବାସୀ ଓ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

Odisha Girl Trishna Ray Crowned Miss Teen Universe 2024 (ETV Bharat Odisha)
  • ମିସ୍ ଟିନ୍ ୟୁନିଭର୍ସ 2024 ଟାଇଟଲ ହାତେଇଲେ ତ୍ରିଷ୍ଣା ରାୟ

ସୂଚନା ଅନୁସାରେ, ଚଳିତମାସ (ନଭେମ୍ବର) ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡର ସୁନ୍ଦରୀମାନଙ୍କୁ ପଛରେ ପକାଇ 19 ବର୍ଷୀୟା ତ୍ରିଷ୍ଣା ଏହି ଟାଇଟଲ୍ ଜିତିଛନ୍ତି । ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନେକ ଦିନରୁ ପ୍ରୟାସ କରିଆସୁଥିଲେ । ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକ୍‍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ । ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଆଜି ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି । ସେହିପରି ପେରୁର ଆନ୍ ଥୋର୍ସେନ୍ ଏବଂ ନାମିବିଆର ପ୍ରିସିୟୋସ ଆଣ୍ଡ୍ରେ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ ।

  • ତ୍ରିଷ୍ଣା ରାୟଙ୍କୁ ନବୀନଙ୍କ ଶୁଭେଚ୍ଛା

ତ୍ରିଷ୍ଣାଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ‘ଏକ୍ସ’ରେ ତ୍ରିଷ୍ଣାଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ପୋଷ୍ଟରେ ନବୀନ ଲେଖିଛନ୍ତି,'' ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ମିସ୍ ଟିନ୍ ୟୁନିଭର୍ସ-2024 ମୁକୁଟ ପିନ୍ଧିଥିବାରୁ ଓଡିଶାର ତ୍ରିଷ୍ଣା ରାୟଙ୍କୁ ଅଭିନନ୍ଦନ । ସେ ତାଙ୍କ କ୍ୟାରିୟରରେ ନୂତନ ଉଚ୍ଚତା ସୃଷ୍ଟି କରନ୍ତୁ ଏବଂ ଆମ ରାଜ୍ୟକୁ ଗର୍ବିତ କରନ୍ତୁ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।''

ତ୍ରିଷ୍ଣାଙ୍କ ସମ୍ପର୍କରେ...

ତ୍ରିଷ୍ଣା ରାୟ ସେନା ଅଧିକାରୀ କର୍ଣ୍ଣେଲ୍‍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ । ତ୍ରିଷ୍ଣା ନିଷ୍ଠା ଓ କଠିନ ପରିଶ୍ରମ କିରି ନିଜ ଲକ୍ଷ୍ୟ ହାସଲ କରିଛନ୍ତି । ସେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଫ୍ୟାଶନ ଟେକ୍ନୋଲୋଜିରେ ଅଧ୍ୟୟନ କରୁଛନ୍ତି । କହି ରଖୁଛୁ କି, ଗତବର୍ଷ (2023) ରେ ସେ ‘ମିସ ଟିନ୍‌ ୟୁନିଭର୍ସ ଇଣ୍ଡିଆ’ ଟାଇଟଲ ମଧ୍ୟ ହାତେଇଥିଲେ । ଏହା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ବିଜୟ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details