ଭୁବନେଶ୍ୱର: ଭଲ ଖରାପର ଉପହାରର ସମାହାରକୁ ନେଇ ସରୁଛି 2024 ବର୍ଷ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଆସୁଛି ନୂଆ ବର୍ଷ 2025 । ନୂଆ ଆଶା, ଉଦ୍ଦୀପନା ସହ 2025କୁ ସ୍ୱାଗତ କରିବାକୁ ସମସ୍ତେ ଉତ୍ସାହିତ । ତେବେ ବିଦାୟୀ ବର୍ଷରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ସ୍ୱତନ୍ତ୍ର ରହିଛି । ଗତ କିଛି ବର୍ଷ ହେବ ଓଡ଼ିଆ ସିନେମା ଶିଳ୍ପ ବହୁ ଉତ୍ଥାନପତନ ଦେଇ ଗତି କରୁଥିବା ବେଳେ କିଛିଟା ମୌଳିକ କାହାଣୀ ପୁଣି ଥରେ 2024 ଓଲିଉଡ ଇଣ୍ଡଷ୍ଟ୍ରିକୁ ଆଗକୁ ବଢିବାର ଖୋରାକ ଯୋଗାଇଛି । କେବଳ ଏତିକି ନୁହେଁ ଏହି ବିଦାୟୀ ବର୍ଷରେ ଅନେକ ଓଡ଼ିଆ ସିନେମା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଭଲ ସିନେମାକୁ ନେଇ ରୋଜଗାର ବି ମିଳିଛି । ତେଣୁ ବର୍ତ୍ତମାନ ବଦଳିଛି ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ କହିଲେ ଅତ୍ୟୁକ୍ତି ନୁହେଁ ।
2024ରେ ରିଲିଜ ହୋଇଛି 35ରୁ ଅଧିକ ଫିଲ୍ମ
2024ରେ 35ରୁ ଅଧିକ ଓଡ଼ିଆ ଫିଲ୍ମ ରିଲିଜ ହୋଇଛି । ଯାହା ଗତ ବର୍ଷ ତୁଳନାରେ ଅନେକ କମ ରହିଛି । 2023ରେ ମୋଟ 74 ଟି ଫିଲ୍ମ ରିଲିଜ ହୋଇଥିଲା । ଏହା ତୁଳନାରେ 2024ରେ କମ ଫିଲ୍ମ ରିଲିଜ ହୋଇଥିଲେ ସୁଦ୍ଧା 2023 ଅପେକ୍ଷା ଏହା ବେଶ ଭଲ ପ୍ରଦର୍ଶନ କରିଛି । ଫିଲ୍ମ ଗୁଡ଼ିକର ଗୁଣବତ୍ତା ଅର୍ଥାତ୍ ମୌଳିକ କାହାଣୀରେ ନିର୍ମିତ ଫିଲ୍ମ, ଗୀତ ତଥା କଥାବସ୍ତୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲା ।
2024ରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ 'ଦଶମ', 'ଅପରେସନ 12/17', 'ତ୍ରିକନ୍ୟା', 'ପାବାର', 'କୁହୁଡି', 'ସୀତା', 'ଆଶ୍ରମ', 'କର୍ମ', 'ଭିଲେନ', 'ଖୋକା ଭାଇ ତୁମ ପାଇଁ', ପରବ' ଭଳି ଅନେକ ଫିଲ୍ମ ପରଦାକୁ ଆସିଛି । କପି କଲଚର ନୁହେଁ ମୌଳିକ କାହାଣୀ ବା ଓଡ଼ିଶାର ମାଟି ପାଣିପବନର କଥାକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ହଲମୁହାଁ ହୋଇଛନ୍ତି ଦର୍ଶକ । ଗତ ଦଶହରା(ନଭେମ୍ୱର) ମାସରେ ରିଲିଜ ହୋଇଥିବା ସୁପରଷ୍ଟାର ଅନୁଭବ ଅଭିନୀତ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ମିତ ସିନେମା 'କର୍ମ' ଦର୍ଶକକୁ ମନୋରଞ୍ଜନ କରିବା ସହ 50 ଦିନ ଯାଏଁ ପ୍ରେ7ାଳୟରେ ଚାଲିଥିଲା ଏବଂ 7 କୋଟିରୁ ଅଧିକ ଆୟ କରିଥିଲା । ସେହିପରି ଡ଼ିସେମ୍ବର ୨୦ରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଅଭିନୀତ ଓ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ "ପରବ" ମଧ୍ୟ ଦର୍ଶକଙ୍କ ମନ ଜିତିଛି । ଏପରି ଓଡ଼ିଆ ଫିଲ୍ମ ଧୀରେ ଧୀରେ ପୁଣି ୯୦ ଦଶକର ସେହି ସ୍ୱର୍ଣ୍ଣିମ ଅଧ୍ୟାୟ ପୁଣି ଫେରିବ ବୋଲି କହିଛନ୍ତି ସିନେ କଳାକାର ପ୍ରଯୋଜକ ନିର୍ଦ୍ଦେଶକ ।
'ଓଡ଼ିଆ ସିନେ ଶିଳ୍ପକୁ ସରକାରୀ ପ୍ରୋତ୍ସାହନ ଓ ସହାୟତାର ଆବଶ୍ୟକ'
ଅନ୍ୟପଟେ ଓଲିଉଡ଼ ଇଣ୍ଡଷ୍ଟ୍ରି ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ପୁଣି ମେରୁଦଣ୍ଡ ସିଧାକାରୀ ଛିଡା ହେବା ପାଇଁ ଓଡ଼ିଆ ସିନେ ଶିଳ୍ପକୁ ସରକାରୀ ପ୍ରୋତ୍ସାହନ ଓ ସହାୟତାର ଆବଶ୍ୟକ ରହିଛି । ବିଶେଷ କରି ରାଜ୍ୟରେ ସିନେମା ହଲର ଅଭାବ ପୂରଣ, ସବସିଡ଼ି ଦେବା ଭଳି ସମସ୍ୟା ସମାଧାନ ସହ ସିନେମା ପଲିସି ଲାଗୁ କରିବାର ଆବଶ୍ୟକତା ରହିଛି । ଯାହା ଅନେକ ଦିନ ଧରି ଲାଗୁ ହୋଇନାହିଁ । ତେଣୁ ୨୦୨୪ ରେ ରାଜ୍ୟରେ ନୂଆ ସରକାର ଆସିଥିବା ବେଳେ ନୂଆ ପଲିସି ଲାଗୁ ହେବ ସହ ତାର କାର୍ଯ୍ୟକାରୀ ସହ ସିନେମ ଶିଳ୍ପର ବିକାଶ ଦିଗରେ ସରକାର ବିହିତ ପଦକ୍ଷେପ ନେବେ ଓ ପୁଣି ସେ ତାର ପୁରୁଣା ଗୌରବ ଫେରି ପାଇବ ବୋଲି ଆଶା କରିଛନ୍ତି ସିନେ କଳାକାର ।
'ଭଲ ସିନେମା କଲେ ନିଶ୍ଚୟ ସ୍ୱର୍ଣ୍ଣିମ ଅଧ୍ୟାୟ ଫେରିବ ଓଲିଉଡ଼'
ଅଭିନେତା ସିଦ୍ଧାନ୍ତ ମହାପାତ୍ର ଫିଲ୍ମର ବିକାଶ ଦିଗରେ ପ୍ରତିକ୍ରିୟା ଦେଇ କହିଛନ୍ତି,''ଅନେକ ଉତ୍ଥାନ ପତନ ପରେ ଧୀରେ ଧୀରେ ସୁଧୁରୁଛି ଓଡ଼ିଆ ଇଣ୍ଡଷ୍ଟ୍ରି ସ୍ଥିତି । ଅନେକ ଓଡ଼ିଆ ସିନେମା ଜାତୀୟ ସ୍ତରରେ ପହଞ୍ଚିଛି । ଭଲ ସିନେମା ପାଇଁ ଆମେ ଚେଷ୍ଟିତ । ଆଗକୁ ମଧ୍ୟ ପ୍ରୟାସ ଜାରି ରହିଛି ଅନେକ ଯୁବ ପ୍ରଯୋଜକ ଓ ନିର୍ଦ୍ଦେଶକ ଭଲ ସିନେମା କରିବାକୁ ମନବୋଳାଉଛନ୍ତି । ଓଡ଼ିଆ ଲୋକମାନେ ଓଡ଼ିଆ ସିନେମା ପ୍ରତି ମନ ବଳାଇଲେଣି । ତେଣୁ 'ଦମନ', 'ପ୍ରତିକ୍ଷା' ଓ 'କର୍ମ' ପରି ଅନେକ ସିନେମା ଭଲ ପାଇବା ଦେଇଛନ୍ତି । ଏଭଳି ସ୍ଥିତିରେ ସକାରାତ୍ମକ ଭାବେ କହିପାରିବା କି ଭଲ ସିନେମା ଆସିଲେ ଦର୍ଶକଙ୍କ ଭଲ ପାଇବା ମିଳିବ ଓ ଆମ ଶିଳ୍ପର ସ୍ୱର୍ଣ୍ଣିମ ଅଧ୍ୟାୟ ପୁଣି ଫେରିବ ।''
ଗୁଣବତ୍ତା ହରାଉଥିବାରୁ ଚାଲୁନି ଓଡ଼ିଆ ସିନେମା
ସେପଟେ ଓଡ଼ିଆ ସିନେମାକୁ ହଲ ନ ମିଳିବାକୁ ନେଇ ମହାରାଜା ହଲ ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି, ଓଡ଼ିଆ ସିନେମାର ଗୁଣବତ୍ତା ଭଲ କଣ୍ଟେଣ୍ଟ ନଥିବା ଯୋଗୁଁ ଫିଲ୍ମ ଚାଲୁନଥିଲା । ତେଣୁ ବିତରକ ମାନେ(ଡିଷ୍ଟ୍ରିବ୍ୟୁଟର) କ୍ଷତି ସହି ଓଡ଼ିଆ ସିନେମାକୁ ପ୍ରାଧାନ୍ୟ ଦେଉନଥିଲେ । ଆମ ରାଜ୍ୟର ହଲରେ ଆମ ସିନେମା ଚାଲୁ ବୋଲି ଆମେ ବି ଚାହୁଁ । କିନ୍ତୁ ଏହି ସମସ୍ୟାକୁ ନେଇ ବିତରକ (ଡିଷ୍ଟ୍ରିବ୍ୟୁଟର) ଅମଙ୍ଗ ହେଉଥିବା ବେଳେ ବାଧ୍ୟ ହୋଇ ଅନ୍ୟ ଭାଷାର ସିନେମା ଚଲାଇଥାଉ ।
ବିଜେପି ସରକାର ଆଣିବ କି ନୂଆ ଓଡ଼ିଆ ସିନେମା ପଲିସି
ଓଡ଼ିଆ ସିନେମା ଶିଳ୍ପ ଧୀରେ ଧୀରେ ଅଣ୍ଟା ସଳଖି ଛିଡା ହେଉଥିବା ବେଳେ ଏହାର ବିକାଶକୁ ନେଇ ପୂର୍ବ ବିଜେଡି ସରକାର ନୂଆ ସିନେମା ପଲିସି ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ତାହା କରିଲେ ନାହିଁ । ସେପଟେ ନୂଆ ସରକାର ଆସିବା ପରେ ଜୁଲାଇ ମାସରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କଳିଙ୍ଗ ଷ୍ଟୁଡିଓ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଷ୍ଟୁଡ଼ିଓର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ସେ କହିଥିଲେ, ''ଓଲିଡଡ଼ ଇଣ୍ଡଷ୍ଟ୍ରିର ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସିନେମା ବିକାଶ ଦିଗରେ କିଭଳି ବିହିତ ପଦକ୍ଷେପ ନେବା ପାଇଁ ପ୍ରୟାସ ଜାରି ରଖିବେ ।'' ଏହା ପରେ ଜୁଲାଇ 26ରେ ଆଗତ ହୋଇଥିବା ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦେଇଥିଲେ । ଓଡ଼ିଶାରେ ଏକ ଫିଲ୍ମ ସିଟି ନିର୍ମାଣ ହେବା ସହ ଚଳିତ ବଜେଟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ ରହିଥିବା ପ୍ରକାଶ କରିଥିଲେ ।
୩ ବର୍ଷ ପାଇଁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ସେପଟେ ନଭେମ୍ବର 17ରେ ୩ ବର୍ଷ ଅର୍ଥାତ୍ ୨୦୨୦,୨୧ ଓ ୨୨ ପାଇଁ ଶ୍ରେଷ୍ଠ କଳକାରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରରେ ଆୟୋଜିତ 'ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର' ସମାରୋହରେ ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିିଥିଲେ । ଏଥିରେ ୩୩ଟି ବର୍ଗରେ 99 ଟି ଆୱାର୍ଡରୁ ମୋଟ 86ଟି ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ, ୨୦୨୧ ବର୍ଷ ପାଇଁ ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ଏବଂ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ଦିଆଯାଇଥିଲା । ୨୦୨୦ ପାଇଁ 'ସହୀଦ ରଘୁ ସର୍ଦ୍ଦାର', ୨୦୨୧ ବର୍ଷ ପାଇଁ 'ପ୍ରତୀକ୍ଷା' ଓ ୨୦୨୨ ପାଇଁ 'ଦମନ' ସିନେମାକୁ ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।
'ସିନେ କଳାକାର ପାଇବେ ସବସିଡି'
ଏହି ସମୟରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସବସିଡି ଦେବାକୁ ଏହି ଅବସରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କ ପରାମର୍ଶକୁ ସ୍ୱାଗତ କରିଥିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଥିଲେ, ''ଶିଳ୍ପ ବିଭାଗ ସହ ସବସିଡି ପାଇଁ କଥା ହେବାକୁ ପଡିବ ଯେହେତୁ ଚଳଚିତ୍ରର ଅଧିକାଂଶ କଥା ଏହି ବିଭାଗ ଅନ୍ତର୍ଭୁକ୍ତ । ଆମ ବିଭାଗ ଚୟନ ସହ ଗୁଣାତ୍ମକ ବିଷୟ ଦେଖେ ତଥାପି ବିଭାଗ ଏନେଇ ଯତ୍ନବାନ ହେବ । ଆଗରୁ ଚଳଚିତ୍ର ଶିଳ୍ପରେ ସବସିଡି ବ୍ୟବସ୍ଥା ରହିଛି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଆଗକୁ କିଭଳି ଓଡ଼ିଆ ପ୍ରଯୋଜକ ନିର୍ଦ୍ଦେଶକ ଓ ସିନେ କଳାକାର ପାଇବେ ସେ ଦିଗରେ ସରକାର ଯତ୍ନବାନ ଅଛନ୍ତି ଆଗକୁ ଏହି ଦିଗରେ କାର୍ଯ୍ୟ କରାଯିବ।''
ଏହା ମଧ୍ୟ ପଢନ୍ତୁ: କମ ବଜେଟ୍ ବଡ଼ ଧମାକା, ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍
ଶୂନ୍ୟକାଳରେ ଉଠିଥିଲା ଓଲିଉଡ଼ ସମସ୍ୟା ପ୍ରସଙ୍ଗ
ସେହିପରି ଡିସେମ୍ୱର 4ରେ ବିଧାନଭାରେ ଶୂନ୍ୟକାଳରେ ଓଡ଼ିଶାରେ ସିନେମା ହଲ୍ ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ ବିଧାୟକ ତଥା ଅଭିନେତା ଆକାଶ ଦାସ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ଥିତି ସୁଧାରିବା ନେଇ ବିଧାନଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଓଡ଼ିଶାର ବରପୁତ୍ରଙ୍କ ନାଁରେ ସିନେମା ନିର୍ମାଣ କରିବାକୁ ଦାବି ଉଠାଇବା ସହ କିଛି ପ୍ରସ୍ତାବ ରଖିଥିଲେ । ଗୃହରେ ଆକାଶ କହିଥିଲେ, ''ଓଡ଼ିଆ ସିନେମା ବର୍ତ୍ତମାନ କୋମା ଆଡ଼କୁ ଯାଉଛି । ଓଡ଼ିଶାରେ ମାତ୍ର 50ରୁ 60ଟି ସିନେମା ହଲ ଅଛି । ପୁରୀରେ ଗୋଟିଏ ହଲ ନାହିଁ । ପ୍ରତି ବ୍ଲକରେ ଏକାଧିକ ସୁବିଧା ଥିବା ସିନେମା ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା । କିନ୍ତୁ ତାହା କୁଆଡେ ଗଲା ଜଣାନାହିଁ । ସେହି ପଲିସିକୁ ବର୍ତ୍ତମାନ ନୂତନ କରି ଅଣାଯାଉ । ଏହାସହ ବରପୁତ୍ର ମାନଙ୍କ ଉପରେ ଓଡ଼ିଶାରେ ଫିଲ୍ମ ତିଆରି କରି ନିର୍ମାତାଙ୍କୁ ସେଥିରେ ସବସିଡି ଦିଆଯାଉ । ଫିଲ୍ମ ପଲିସି ଗତ ସରକାରରେ ହୋଇଥିଲା, ହେଲେ ତାର ସୁଫଳ କେହି ପାଇଲେ ନାହିଁ । ବର୍ତ୍ତମାନ ସରକାରରେ ତାହାର ପୁନଃରୁଥାନ କରାଯାଉ । ଏହାଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ଠାରୁ ଆରମ୍ଭ କରି ଟେକନିସିଆନ, ସମସ୍ତଙ୍କର ଆର୍ଥିକ ସ୍ଥିତି ସୁଧୁରିବ ।''
'କେବେ ଲାଗୁ ହେବ ସିନେ ପଲିସି ?'
ରାଜ୍ୟରେ ହଲ୍ ଅଭାବ ଏବଂ ସିନେ ପଲିସିକୁ ନେଇ ପ୍ରତିକ୍ରିୟା ଦେଇ ପ୍ରଯୋଜକ ଅସିତ କୁମାର ରାଉତ କହିଛନ୍ତି, ''ବିଗତ ତିନିରୁ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇସାରିଥିବା ବେଳେ ବର୍ତ୍ତମାନ ୩୦ଟି ଜିଲ୍ଲାରେ ମାତ୍ର ହାତଗଣତି ୫୨ଟି ହଲ ରହିଛି । ୧୯୭୪ ମସିହାରେ ଓଡ଼ିଶାରେ ଚଳଚ୍ଚିତ୍ରକୁ ଏକ ଶିଳ୍ପର ମାନ୍ୟତା ମିଳିଛି । ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ ତିଆରି ହୋଇଥିଲା । ଏବେ ଏହାକୁ ୫୦ ବର୍ଷ ପୂରିବାକୁ ଯାଉଛି। ହେଲେ କେଉଁ ଭଲ ପ୍ରଯୋଜକଙ୍କୁ ଆର୍ଥିକ ସହାୟତା, ଋଣ ଯୋଗାଇ ଦେବା, ଭଲ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ନିଗମ ପାଖରେ ଅର୍ଥ ନାହିଁ । ଓଡ଼ିଶାରେ ଫିଲ୍ମ ସିଟି ନାହିଁ । ଏଭଳି ପରିସ୍ଥିତିରେ ନୂଆ ପଲିସି ସରଳୀକରଣ କରିବା ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ନୂଆ ବର୍ଷରେ ନୂଆ ଏକ ଇଣ୍ଡଷ୍ଟ୍ରିକୁ ଭେଟି ଦିଅନ୍ତୁ ।''
ସେପଟେ ପ୍ରଯୋଜକ ଯୁଗଳ ଦେବତା କହିଛନ୍ତି, ''ପ୍ରତି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କରୁଛନ୍ତି ଓଡ଼ିଆ ସିନେମା ପାଇଁ ଭିନ୍ନ ଭିନ୍ନ ପଲିସି । କିନ୍ତୁ ତାହା କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଖାତା କଲମରେ ସୀମିତ ରହିଛି । ଫିଲ୍ମ ନିର୍ମାଣ କରି ନା ପ୍ରଯୋଜକ ପାଉଛି ତାର ସବସିଡି ନା ସିନେମା ହଲ୍ ଗୁଡ଼ିକର ହେଉଛି ପୁନରୁଦ୍ଧାର । ଏଭଳି ସ୍ଥିତିରେ ୨୦୨୪ରେ ସରକାର ବଦଳି ରାଜ୍ୟରେ ବିଜେପି ସରକାର ଆସିଥିବା ବେଳେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପ୍ରତି ସରକାର ଯତ୍ନବାନ ହୋଇ ଗୁରୁତ୍ୱ ଦିଅନ୍ତୁ ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ କରାନ୍ତୁ ।''
ଏହା ମଧ୍ୟ ପଢନ୍ତୁ: ବାଜିଲା ସାହାନାଇ, 2024ରେ ପାଇଲେ ଜୀବନସାଥୀ
ଇଟିଭି ଭାରତ, ଭୁବନେଶ୍ୱର