ହାଇଦ୍ରାବାଦ:ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋରି ମାମଲା । 48 ଘଣ୍ଟା ମଧ୍ୟରେ ଦୁଇ ଚୋରକୁ ବାନ୍ଧିଛି ମୁମ୍ୱାଇ ପୋଲିସ । ଏଥିସହ ପୋଲିସ ଚୋରି ହୋଇଥିବା ସାମଗ୍ରୀ ଜବତ କରି ଅଭିନେତାଙ୍କୁ ଫେରାଇ ଦେଇଛି । ଏନେଇ ବର୍ତ୍ତମାନ ଅନୁପମ ଖେର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମୁମ୍ବାଇ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁମ୍ୱାଇ ପୋଲିସକୁ ଧନ୍ୟବାଦ ଜଣାଇଲେ ଅନୁପମ
ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅଭିଯୁକ୍ତ ଚୋର ଏବଂ ମୁମ୍ବାଇ ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଛି । ଏହା ସେୟାର କରି ଅଭିନେତା ଲେଖିଛନ୍ତି, 'ମୋ ଅଫିସରେ ଭଙ୍ଗାରୁଜା କରି ମୋର ସାମଗ୍ରୀ ନେଇଥିବା ଦୁଇ ଚୋରଙ୍କୁ ଧରି ଥିବାରୁ ମୁମ୍ବାଇ ପୋଲିସକୁ ମୋର କୃତଜ୍ଞତା । 48 ଘଣ୍ଟା ମଧ୍ୟରେ ଚୋରଙ୍କୁ ଧରିବା ପୋଲିସଙ୍କ ଜୋରଦାର ପ୍ରୟାସକୁ ଦର୍ଶାଇଛି । ଧନ୍ୟବାଦ । ଜୟ ହୋ ! '
ଗତ ୧୯ ତାରିଖରେ ହୋଇଥିଲା ଚୋରି
ସୂଚନା ଅନୁସାରେ, ଦୁଇ ଦିନ ପୂର୍ବରୁ ଏହି ଚୋରି ହୋଇଥିଲା । ଅନୁପମ ଖେରଙ୍କ କାର୍ଯ୍ୟାଳୟର ଭଙ୍ଗା ଦ୍ୱାରର ଭିଡିଓ ସେୟାର କରି ଅଭିନେତା ଏହି ସୂଚନା ଦେଇଥିଲେ । ଚୋରମାନେ ଅଭିନେତାଙ୍କ କାର୍ଯ୍ୟାଳୟରୁ କିଛି ନଗଦ ଟଙ୍କା ଏବଂ ଚଳଚ୍ଚିତ୍ରର କିଛି ଫିଲ୍ମର ନେଗେଟିଭ ଚୋରି କରିଥିଲେ । ଏହି ଚୋରି ମୁମ୍ୱାଇସ୍ଥିତ ଭେରା ଦେଶାଇ ରୋଡରେ ଥିବା ତାଙ୍କ କାର୍ଯ୍ୟାଳୟରେ ଘଟିଥିଲା । ଏହି ଅଭିନେତା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ ଚୋରଙ୍କୁ ଧରିବାରେ ସଫଳ ହୋଇଛି ।
ଏହା ମଧ୍ୟ ପଢନ୍ତୁ:ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅନୁପମ ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ କରିବେ କମବ୍ୟାକ
ଅନୁପମ ଖେରଙ୍କ ଆଗାମୀ ଚଳଚ୍ଚିତ୍ର
ଅନୁପମ ଖେରଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ଫିଲ୍ମ 'ମେନେ ଗାନ୍ଧୀ କୋ କ୍ୟୁଁ ମାରା' ଉପରେ କାମ କରୁଛନ୍ତି । ଏଥିସହ ସେ ବର୍ତ୍ତମାନ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'ରେ ନଜର ଆସିବେ । ଏହା ବ୍ୟତୀତ ମେଟ୍ରୋ ଇନ୍ ଦିନୋ, ଭ୍ୟାକ୍ସିନ୍ ୱାର ଏବଂ ବିଜୟ 69 ସାମିଲ ଅଛି । ଏହାସହ ଅନୁପମ 20 ବର୍ଷ ପରେ ନିର୍ଦ୍ଦେଶନାକୁ ଫେରୁଛନ୍ତି । ସୂଚନାଯୋଗ୍ୟ ଯେ ଅନୁପମ ଖେର 'ତନଭି ଦି ଗ୍ରେଟ' ଫିଲ୍ମ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ