ଭୁବନେଶ୍ୱର: 'ପରବ', 'ରଙ୍ଗଶୁର' ଭଳି ଓଡ଼ିଆ ଫିଲ୍ମ ବର୍ତ୍ତମାନ ରାଜ୍ କରୁଥିବା ବେଳେ ବର୍ତ୍ତମାନ ଆଉ ଏକ ନୂଆ ଓଡ଼ିଆ ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ଭାଇ ଭଉଣୀଙ୍କ ସମ୍ପର୍କକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭାଇ' । ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିଲ୍ମର ଫିଲ୍ମର ଅଡିଓ ରିଲିଜ ସହ ରିଲିଜ ତାରିଖ ଘୋଷଣା କରାଯାଇଛି । ତେବେ କେବେ ପରଦାକୁ ଆସିବ ଫିଲ୍ମ ? ଜାଣନ୍ତୁ,
ଏହି ଦିନ ପରଦାକୁ ଆସିବ ଫିଲ୍ମ 'ଭାଇ'
ଅମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡ଼କସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଭାଇ" । ଭୁବନେଶ୍ୱର ଏକ ତାରକା ହୋଟଲରେ ଆୟୋଜିତ କାର୍ଯ୍ୟକ୍ରମରେ ଫିଲ୍ମର ଅଡିଓ ରିଲିଜ କରିବା ସହ ନିର୍ମାତା ଏହାର ରିଲିଜ ତାରିଖ ଗୋଷଣା କରିଛନ୍ତି । ଆସନ୍ତା ଜାନୁଆରୀ ୨୪ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା ହୋଇଛି ।
'ଭାଇ' ଫିଲ୍ମର ଷ୍ଟାରକାଷ୍ଟ
ଏହି ଚଳଚିତ୍ରରେ ତାଣ୍ଡବ, ମାଲ୍ୟଗିରି ଓ ‘ଗୁପଚୁପ'ର ନିର୍ଦ୍ଦେଶକ ପୃଥୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ଏଥିରେ ଅଭିନେତା ସୁଜିତ ଭାଇ ଏବଂ ଅଭିନେତ୍ରୀ ଦିବ୍ୟା ମହାନ୍ତି ଭଉଣୀ ଚରିତ୍ରରେ ନଜର ଆସିବେ । ନାୟକ ଅମ୍ଳାନ ଦାସଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ । ଅଭିନେତ୍ରୀ ଅନନ୍ୟା ଏବଂ ଗୁପଚୁପ ଓ ଦୃଷ୍ଟିକୋଣ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଭାଇ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ପୃଥୀରାଜ ଥିବା ବେଳେ ସଂଳାପ ରଚନା କରିଛନ୍ତି ରବିନାରାୟଣ ଦାସ । ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ସରୋଜ । ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର ।
'ଭାଇ' ଫିଲ୍ମର କାହାଣୀ
ଫିଲ୍ମଟି ଆକ୍ସନ ଜୋନର ସିନେମା ହୋଇଥିବା ବେଳେ ଭାଇ ଭଉଣୀ ସମ୍ପର୍କର ଅନେକ ମିଠା ସ୍ମୃତିକୁ କୁ ଏଥିରେ ଦେଖିବାକୁ ମିଳିବ । ଏହାସହ ଭଉଣୀର ସୁଖ ଓ ସୁରକ୍ଷାକୁ ନେଇ ଭାଇ କେତେ ଶକ୍ତ ହୋଇଥାଏ ଓ ଦୁନିଆ ସହ ତାର ସୁରକ୍ଷାକୁ ନେଇ କିଭଳି ଲଢ଼ିଯାଇଥାଏ ଏଥିରେ ଦେଖିବାକୁ ମିଳିବ । ସୁଜିତ ଓ ଦିବ୍ୟା ଦୁଇଜଣ ଭାଇ ଭଉଣୀ ଚରିତ୍ରରେ ଓଡ଼ିଆ ଦର୍ଶକଙ୍କୁ ଭାଇ ଭଉଣୀ ସମ୍ପର୍କର ତ୍ୟାଗ, ବଳିଦାନ, ସମର୍ପଣ, ଭଲପାଇବା ଓ କର୍ତ୍ତବ୍ୟର ନିଖୁଣତାକୁ ଦେଖାଇବା ଚେଷ୍ଟା କରିଛନ୍ତି । ତେଣୁ ପୁଣି ଥରେ ଏହି ଏହି ସମ୍ପର୍କରେ ଥିବା ହସ ଦୁଃଖ ଓ ଲୁହକୁ ଦର୍ଶକ ଦେଖିବାକୁ ପାଇବେ । ଭରପୁର ମନୋରଞ୍ଜନର ସହ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶାବାଦୀ ଅଛନ୍ତି ଅଭିନେତା ଓ ପ୍ରଯୋଜକ ।
ଏହି ଫିଲ୍ମଟିର ମେକିଙ୍ଗ ବେଶ ଉଚ୍ଚକୋଟିର ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଓଡ଼ିଶା ବାହାରେ ମନାଲି, ଲଦାଖ ଇତ୍ୟାଦି ସ୍ଥାନରେ ମଧ୍ୟ ଏହାର ସୁଟିଂ ହୋଇଛି । ଭାଇ-ଭଉଣୀର ସମ୍ପର୍କ, କର୍ତ୍ତବ୍ୟକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଥିବା ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ଵକୁ ବେଶ ଚମତ୍କାର ଭାବେ ଦେଖାଇଛନ୍ତି ନିର୍ଦ୍ଦେଶକ ପୃଥ୍ଵୀରାଜ ପଟ୍ଟନାୟକ । ଏଥିରେ ପାରିବାରିକ କାହାଣୀ ସହ ଆକ୍ସନ୍କୁ ବେଶ ଗୁରୁତ୍ଵ ଦିଆଯାଇଛି । ତେବେ ଫିଲ୍ମ ଦର୍ଶକଙ୍କ ବେଶ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।
ଭୁବନେଶ୍ୱର, ଇଟିଭି ଭାରତ