ହାଇଦ୍ରାବାଦ:ବଲିଉଡର ବିବାଦୀୟ କୁଇନ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜୁନ ୧୪ ରେ ରିଲିଜ୍ ହେବାର ଥିଲା । ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଫିଲ୍ମର ରିଲିଜ ତାରିଖ ବୃଦ୍ଧି କରାଯାଇଥିବା ଜଣାପଡିଛି । ଅଭିନେତ୍ରୀ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ହିମାଚଳର ମଣ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି କାରଣରୁ ନିର୍ମାତାମାନେ ତାଙ୍କ ଫିଲ୍ମର ରିଲିଜ ତାରିଖ ବଢାଇ ଦେଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି ।
ବୁଧବାର (ମେ ୧୫)ରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ ଲେଖିଛି, "ଆମର କୁଇନ କଙ୍ଗନା ରାଣାୱତ ବର୍ତ୍ତମାନ ଦେଶ ସେବା କରିବାରେ ନିୟୋଜିତ ଅଛନ୍ତି ଏବଂ ଏହାକୁ ହିଁ ସେ ପ୍ରାଥମିକତା ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ 'ଏମରଜେନ୍ସି' ର ରିଲିଜ ତାରିଖ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଶୀଘ୍ର ନୂତନ ରିଲିଜ ତାରିଖ ଘୋଷଣା କରିବୁ ।''
ଦୁଇ ଦୁଇ ଥର ଘୁଞ୍ଚିଲାଣି ରିଲିଜ ଡେଟ୍
'ଏମରଜେନ୍ସି' ଫିଲ୍ମ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରାରମ୍ଭରେ ଏହା ୨୪ ନଭେମ୍ବର ୨୦୨୩ ରେ ପରଦାରେ ରିଲିଜ୍ ହେବାର ଯୋଜନା ହୋଇଥିଲା, କିନ୍ତୁ ଏହା ଠିକ୍ ସମୟରେ ରିଲିଜ୍ ହୋଇପାରିଲା ନାହିଁ । ଏହା ପରେ ନିର୍ମାତାମାନେ ଏହାକୁ ଚଳିତ ବର୍ଷ ଜୁନ ୧୪ରେ ରିଲିଜ କରିବାକୁ ଘୋଷଣା କରିଥିଲେ, ଯାହା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ସହ କଡାଟକ୍କର ଦେଇଥାନ୍ତା । କିନ୍ତୁ ନିର୍ବାଚନ ହେତୁ ଫିଲ୍ମର ରିଲିଜ ତାରିଖ ପୁଣି ବଦଳାଯାଇଛି ।