ଭୁବନେଶ୍ବର: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ମୋହନ ମାଝୀ ସରକାର । ଡିସେମ୍ବର ୮ରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ।
20ରୁ ବରଗଡରୁ ଧାନକିଣା:
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ବରଗଡ଼ ଜିଲ୍ଲାରୁ ଆସନ୍ତା ୨୦ ତାରିଖରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି । ମନ୍ତ୍ରୀ ପରିଷଦ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଧାନ ସଂଗ୍ରହକୁ ରାଜ୍ୟ ସରକାର ଚ୍ୟାଲେଞ୍ଜର ସହ ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହେବ । ଧାନ ସଂଗ୍ରହ ୨୦ ତାରିଖରୁ ଆରମ୍ଭ ହେଉଥିଲେ ହିଁ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ବରଗଡ଼ର ସୋହେଲା ହେବ । ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏକଜୁଟ କରି ଏକ ବଡ଼ ଚାଷୀ ସମାବେଶ କରାଯିବ । ୮ ତାରିଖରୁ ଇନପୁଟ ସବସିଡ଼ି ମିଳିବା କାର୍ଯ୍ୟକ୍ରମ ସୋହେଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ ହେବ ।"
ଦ୍ବନ୍ଦ୍ବରେ ନରହିବାକୁ ମନ୍ତ୍ରୀଙ୍କ ପରାମର୍ଶ:
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଧାନ ସଂଗ୍ରହ ବାବଦରେ ୨୩୦୦ ଟଙ୍କା ନଭେମ୍ବର ୨୦ ତାରିଖରୁ ଦିଆଯାଇଥିବ । ମୁଖ୍ୟମନ୍ତ୍ରୀ ୮ ତାରିଖରୁ ଇନପୁଟ ସବସିଡ଼ି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ପୂର୍ବରୁ ଧାନ ଦେଇଥିବା ଚାଷୀଙ୍କୁ ଏହି ଟଙ୍କା ଦିଆଯିବ । ପରବର୍ତ୍ତୀ ସମୟରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଚାଷୀ ମାନେ ଦ୍ଵନ୍ଦ୍ବରେ ନ ରୁହନ୍ତୁ ଆମ ସ୍ପଷ୍ଟ କରି ଦେଇଛୁ । ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ଅଳ୍ପ ଦିନ ଚାଷୀ ମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ । ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ।"
କଟନୀ ଛଟନି ସମ୍ପୂର୍ଣ୍ଣ ବନ୍ଦ:
ମନ୍ତ୍ରୀ ଆହୁରି କହିଛନ୍ତି, ‘କଟନୀ ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ । ସେଠାରେ କ୍ୱାଲିଟି ଆନାଲାଇଜର ମେସିନ ମଣ୍ଡିରେ ରଖିଛୁ । ଏଫଏକ୍ୟୁ ମାନର ଧାନ ସଂଗ୍ରହ କରିବୁ । ଧାନ ବିକ୍ରି ପାଇଁ ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକୃତ କରିଛନ୍ତି । ସିମବର୍ତ୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡା କଡ଼ି କରାଯିବ । ସିସିଟିଭି ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ । ଆସନ୍ତା ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବ ଟୋକେନ । ଟୋକେନ ଅବଧି ଗୋଟେ ମାସ ରହିବ । ଟୋକେନ ଅବଧି ଆଉ ୭ ଦିନ ବଢ଼େଇବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି ।’
ବିଜେଡି ସରକାର ଦେଇନଥିଲା ବୋନସ୍: ମନ୍ତ୍ରୀ
ଏହା ମନ୍ତ୍ରୀ ଆହୁରି କହିଛନ୍ତି, ‘ପୂର୍ବରୁ ସୋହେଲାରେ ବିଜେଡି ସରକାର ୧୦୦ ଟଙ୍କା ବୋନସ ଦେବାକୁ କହିଥିଲେ, ହେଲେ ଦେଲେ ନାହିଁ । କିନ୍ତୁ ଆମ ସରକାର ୮୦୦ ଟଙ୍କା ଅଧିକ ଦେବାକୁ ଯାଉଛନ୍ତି । ଏହା ହେଉଛି ବିଜେଡି ଆଉ ବିଜେପି ସରକାର ମଧ୍ୟରେ ଫରକ । ଏହି ୮୦୦ ଟଙ୍କା ଦ୍ୱାରା ଚାଷୀ ପରିବାରର ଅର୍ଥନୀତି ବଢିବ । ଗୋଟେ ଏକର ପିଛା ହାରାହାରି ୧୦ ହଜାର ଟଙ୍କା ଅଧିକ ପାଇବେ । ବରଗଡରେ ସର୍ବାଧିକ ଚାଷୀ ଅଛନ୍ତି । ରାଜ୍ୟର ସର୍ବାଧିକ ଧାନ ସଂଗ୍ରହ ବରଗଡରୁ ହୁଏ । ଓଡିଶାର ପ୍ରାୟ ୪୦ ପ୍ରତିଶତ ଧାନ ସମ୍ବଲପୁର ଓ ବରଗଡ଼ରୁ ସଂଗ୍ରହ ହୋଇଯାଉଛି । ତେଣୁ କାର୍ଯ୍ୟକ୍ରମ ବରଗଡ଼ରୁ ଆରମ୍ଭ ହୋଇଛି ।’
ସବୁ ଜିଲ୍ଲାରେ ପାଳନ ହେବ ଧାନ ସଂଗ୍ରହ ଉତ୍ସବ:
ଧାନ ସଂଗ୍ରହକୁ ଉତ୍ସବ ଆକାରରେ ସବୁ ଜିଲ୍ଲାରେ ପାଳନ କରିବେ ମୋହନ ମାଝୀ ସରକାର । ବରଗଡ଼ ସୋହେଲାରୁ ଚାଷୀ ସମାବେଶ ପରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ । ଏକ ଉତ୍ସବ ଭାବେ ଏହାକୁ ପାଳନ କରାଯିବ । ଚାଷୀଙ୍କ ଲାଗି ଏହା ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର