ଭବାନୀପାଟଣା: ମହଲତ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ବଢିଲା ରାସନକାର୍ଡ e-KYC ଡେଡଲାଇନ୍ । ଏହି ପ୍ରକ୍ରିୟାକୁ ରାଜ୍ୟ ସରକାର ଆସନ୍ତାମାସ (ଫେବୃଆରୀ) 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି କଳାହାଣ୍ଡି ଗସ୍ତରେ ଯାଇ ଭବାନୀପାଟଣାରେ ସମୀକ୍ଷା ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କିଛି ହିତାଧିକାରୀ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଅପଡେଟ୍ କରିପାରିନଥିବାରୁ ସରକାର ଏହି ସମୟ ସୀମା ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ଏହି ସମୟ ସୀମା ଚଳିତମାସ (ଜାନୁଆରୀ) 31 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲେ ସରକାର ।
- ଅପଡେଟ କରିପାରିନଥିବା ହିତାଧିକାରୀଙ୍କ ପାଇଁ ବଢିଲା ମହଲତ: ମନ୍ତ୍ରୀ
କଳାହାଣ୍ଡି ଜିଲ୍ଲାରେ ଅନେକ ଅପହଞ୍ଚ ଇଲାକା ରହିଛି । ଯେଉଁଠି ମୋବାଇଲ୍ ଟାୱାର ନଥିବା କାରଣରୁ ଇଣ୍ଟରନେଟ୍ ସମସ୍ୟା ରହୁଛି । ଫଳର E-KYC କରିବାରେ ସମସ୍ୟା ଉପୁଜୁଥିବାରୁ ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ E-KYC ହୋଇନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି,‘‘e-KYC ୧୫ ଦିନ ଘୁଞ୍ଚାଇ ଦିଆଗଲା । ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଯେଉଁ ବନ୍ଧୁମାନେ ଏପର୍ଯ୍ୟନ୍ତ କରିନାହାନ୍ତି, ସେମାନେ ଏହି ସମୟ ମଧ୍ୟରେ କରାଇନେବେ । ନେଟୱର୍କ ସମସ୍ୟାକୁ ନେଇ ଏହି ପରିବର୍ତ୍ତନ କରାଯାଇଛି ।’’
ଏହା ମଧ୍ୟ ପଢନ୍ତୁ- 4 ଦିନରେ ସରିବ ରାସନକାର୍ଡ e-KYC ଅବଧି, ଏବେ ବି କରିନାହାନ୍ତି 40 ଲକ୍ଷ ମହଲତ ଦେଲେ ସରକାର, ଜାନୁଆରୀ 31 ସୁଦ୍ଧା E-KYC ନକଲେ କଟିଯିବ ରାସନକାର୍ଡ |
- ଜାନୁଆରୀ 29 ସୁଦ୍ଧା ହୋଇଛି ୨ କୋଟି ୯୬ ଲକ୍ଷ E-KYC
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଗତକାଲି (୨୯ ତାରିଖ) ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟରେ ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ହିତାଧିକାରୀ ଥିବାବେଳେ ରାଜ୍ୟ ବାହାରେ ୧ ଲକ୍ଷ ୩୨ ହଜାର ୩୭୮ ଜଣ ହିତାଧିକାରୀ ରହିଛନ୍ତି । ଜାନୁଆରୀ ୨୯ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୩୮ ଲକ୍ଷ ୩ ହଜାର ୨୩୮ ଜଣ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । କାର୍ଡରେ କିଛି ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁନାହାନ୍ତି ।’’
ଇଟିଭି ଭାରତ, କଳାହାଣ୍ଡି