ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଆଗାମୀ ଫିଲ୍ମ 'ଏମରଜେନ୍ସି'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ଫିଲ୍ମର ରିଲିଜ ଡେଟ ଘୋଷଣା କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏନେଇ ନିକଟରେ ଏକ ଇଭେଣ୍ଟରେ ଅଭିନେତ୍ରୀଙ୍କୁ ପଚାରଗଲା ଯେ, ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି ? ଏହି ପ୍ରଶ୍ନରେ ଅଭିନେତ୍ରୀ ମଜାଳିଆ ଢଙ୍ଗରେ ଜବାବ ଦେଇଛନ୍ତି ।
କଙ୍ଗନା ନିକଟରେ ହାଇଦ୍ରାବାଦରେ ଆୟୋଜିତ ତେଲୁଗୁ ଫିଲ୍ମ 'ରଜାକର'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ସମୟରେ ଅଭିନେତ୍ରୀଙ୍କୁ ଆପଣ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି ବୋଲି ପଚରାଯିବାରୁ ସେ ଉତ୍ତର ଦେଇ କହିଛନ୍ତି, "ଏବେ ମୁଁ ଏକ ଫିଲ୍ମ କରିଛି, ଯାହାର ନାଁ ଏମରଜେନ୍ସି । ତାକୁ ଦେଖିବା ପରେ କେହି ଚାହିଁବେନି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବି ।" କହିରଖୁଛୁ କି, ନିକଟରେ କଙ୍ଗନା ରାଜନୀତିରେ ଏଣ୍ଟ୍ରି କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ମଧ୍ୟ ସେ ଖୁଲାସା କରିଥିଲେ ।
କଙ୍ଗନା ରାଜନୀତିରେ ଏଣ୍ଟ୍ରି କରିବେ କି?
କଙ୍ଗନାଙ୍କ ରାଜନୀତିରେ ଏଣ୍ଟ୍ରି କରିବା ଖବର ନେଇ ମୁହଁ ଖୋଲିଥିଲେ । ସେ ଗତବର୍ଷ (୨୦୨୩) ଫେବୃଆରୀରେ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ, "ମୁଁ ଜଣେ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବ୍ୟକ୍ତି, ରାଜନୈତିକ ବ୍ୟକ୍ତି ନୁହଁ । ମୋତେ ଅନେକ ଥର ରାଜନୀତିରେ ଯୋଗଦେବାକୁ କୁହାଯାଇଥିଲା, କିନ୍ତୁ ମୁଁ ପ୍ରତ୍ୟେକ ଥର ମନା କରିଥିଲି ।" ଏହା ପରେ ସେ ଗତବର୍ଷ ନଭେମ୍ବରରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ଆପଣ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି? ଏହାର ଉତ୍ତରରେ ସେ କହିଥିଲେ ଯେ, 'ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ରହିଲେ ନିଶ୍ଚୟ ଲଢିବି ।'
ଏହା ମଧ୍ୟ ପଢନ୍ତୁ:BJP ଟିକେଟ ଦେଲେ ନିର୍ବାଚନ ଲଢିବେ କଙ୍ଗନା, ସ୍ପଷ୍ଟ କଲେ ବାପା
'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।