ହାଇଦ୍ରାବାଦ:ଆଜି ୫୭ ବର୍ଷରେ ପାଦ ଥାପିଛନ୍ତି ବଲିଉଡର 'ଧକ୍ ଧକ୍' ଗାର୍ଲ ମାଧୁରୀ ଦୀକ୍ଷିତ । ବର୍ତ୍ତମାନ ମାଧୁରୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ବିଶେଷ ଦିନରେ ତାଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ରୋମାଣ୍ଟିକ ଅନ୍ଦାଜରେ ମାଧୁରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବଲିଉଡରୁ ମଧ୍ୟ ଅଭିନେତ୍ରୀ କାଜୋଲ, ଅଭିନେତା ଜ୍ୟାକି ଶ୍ରଫ, ସୁନୀଲ ଶେଟ୍ଟୀ, ଅନୀଲ କପୁର ଏବଂ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।
ଡା. ଶ୍ରୀରାମ ନେନେ ନିଜ ଏବଂ ମାଧୁରୀଙ୍କ ଫଟୋର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ତୁମକୁ ଜନ୍ମଦିନର ଶୁଭେଚ୍ଛା । ତୁମେ ମୋ ଜୀବନକୁ ଯେପରି ପରିବର୍ତ୍ତନ କରିଛ ଏବଂ ମୋର ଯତ୍ନ ନେଇଛ । ତାହା ମୁଁ ଶବ୍ଦରେ ପ୍ରକାଶ କରିପାରୁ ନାହିଁ । ମୁଁ ତୁମକୁ ବହୁତ ଭଲପାଉଛି ।'' ଏହି ଭିଡିଓରେ ମାଧୁରୀ ସ୍ୱାମୀଙ୍କ ସହ ସୁନ୍ଦର ମୁହୂର୍ତ୍ତ ବିତାଉଥିବାର ନଜର ଆସିଛନ୍ତି ।
ସେହିପରି କାଜୋଲ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି, ''ଓଜି ଡ୍ୟାନ୍ସ କୁଇନଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆଗାମୀ ବର୍ଷରେ ଆପଣ ଆଗକୁ ଆହୁରି ବଢନ୍ତୁ ମାଧୁରୀ ଦୀକ୍ଷିତ।'' ସେପଟେ ଡ୍ୟାନ୍ସ ଦିୱାନେ ସେଟରୁ ମାଧୁରୀ ଦୀକ୍ଷିତଙ୍କ ସହ ସୁନୀଲ ଶେଟ୍ଟୀ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ୍ସପ୍ରେସନ କୁଇନ ମାଧୁରୀ ଦୀକ୍ଷିତଙ୍କୁ ଜନ୍ମଦିନର ଶୁଭେଚ୍ଛା । ସର୍ବଦା ଏବଂ ସବୁଦିନ ପାଇଁ ଏପରି ଯାଦୁ ଦେଖାଉଥାଅ ।''