ଭୁବନେଶ୍ୱର:ଚର୍ଚ୍ଚାରେ ଓଡ଼ିଆ ପୁଅ ରାଜ କିଶୋର ହୋତା । ବଲିଉଡରେ ନିଜର କମାଲ୍ ଦେଖାଇ ଏବେ ଶିରୋନାମାରେ ରହିଛନ୍ତି ରାଜ କିଶୋର । ଦୀୱାଲି ଅବସରରେ (ନଭେମ୍ୱର 1)ରେ ରିଲିଜ ହୋଇଥିବା ଫିଲ୍ମ 'ଭୁଲ ଭୁଲେୟା 3'ରେ ନିଜ ଯାଦୁ ଦେଖାଇଛନ୍ତି ଓଡ଼ିଆ ପୁଅ ରାଜ କିଶୋର । ଏହି ଫିଲ୍ମରେ ସେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର (ସହ ନିର୍ଦ୍ଦେଶକ) ଭାବେ କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଓଡ଼ିଶା ମାଟିର ଅନେକ କଳାକାର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୂର୍ବରୁ ନାଁ କମାଇଥିବା ବେଳେ ବର୍ତ୍ତମାନ ଏହି ତାଲିକାରେ ରାଜ କିଶୋରଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି । 'ଭୁଲ ଭୁଲେୟା 3' ଭଳି ସଫଳ ଫିଲ୍ମ ତଥା ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କିଶୋର ନିଜ ଦକ୍ଷତା ପ୍ରଦର୍ଶନ କରି ଆଜି ନିଜ ଜିଲ୍ଲା ତଥା ସାରା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
ନିକଟରେ ରିଲିଜ ହୋଇଥିବା 'ଭୁଲ ଭୁଲେୟା 3'ରେ କମାଲ କରିଛନ୍ତି ସେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ, ତିପ୍ତୀ ଡିମ୍ରି ଏଭିନୟ କରିଥିବା ବେଳେ ନିର୍ଦ୍ଦେଶକ ଅନିସ ବାଜମୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ହରର କମେଡି ଫିଲ୍ମ ହୋଇଥିବା ବେଳେ କାର୍ତ୍ତିକ-ବିଦ୍ୟା ଷ୍ଟାରର ପିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିଅରର ସଫଳ ଫିଲ୍ମ ଭାବେ ପରିଗଣିତ । ତେବେ ଏହି ଫିଲ୍ମର ସଫଳତା ପଛରେ ଓଡ଼ିଶା ସୋନପୁର ଜିଲ୍ଲାର ରାଜ କିଶୋର ହୋତାଙ୍କ ମଧ୍ୟ ହାତ ରହିଛି ।
ତେବେ ବର୍ତ୍ତମାନ 'ଭୁଲ ଭୁଲେୟା 3' ସାରା ଦେଶରେ ଧମାକା କରିଥିବା ବେଳେ ଫିଲ୍ମକୁ ନେଇ ନିଜର ଅଭିଜ୍ଞତା ଏବଂ ବଲିଉଡରେ କିପରି ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଗାମୀ ଦିନରେ କ'ଣ ଲକ୍ଷ୍ୟ ରହିଛି ସେନେଇ ଇଟିଭି ଭାରତ ସହ ସ୍ୱତନ୍ତ୍ର ବାର୍ତ୍ତାଳାପ କରିଛନ୍ତି ସହ ନିର୍ଦ୍ଦେଶକ ରାଜ କିଶୋର ହୋତା ।
ଇଟିଭି ଭାରତ: ବଲିଉଡରେ କେମିତି ଯାତ୍ରା ଆରମ୍ଭ କଲେ ?
ସିନେ ଇଣ୍ଡଷ୍ଟ୍ରିରେ କାମ କରିବାର ଇଚ୍ଛା ତାଙ୍କୁ ମୁମ୍ୱାଇକୁ ଟାଣି ନେଇଥିଲା । ସେ 16 ବର୍ଷ ଧରି ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହେବା ସହ ବିଭିନ୍ନ ସିରିଏଲ ଏବଂ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଯାତ୍ରା ନେଇ ରାଜ କିଶୋର ହୋତା କହିଛନ୍ତି, ''ମୁଁ 2008ରେ ମୁମ୍ୱାଇ ପହଞ୍ଚିଥିଲେ । ସେହି ସମୟରେ ମୁଁ ସିନେମାଟାଗ୍ରାଫି ଭାବେ କ୍ୟାରିଅର ଆରମ୍ଭ କରିଥିଲି । ସେତେବେଳେ ଆସିଥିବା 'କାହାନୀ ଘର ଘର କି', 'ଉତ୍ତରନ', 'ବାଲିକା ବଧୂ' ଭଳି ଟିଭି ସିରିଏଲରେ ସିନେମାଟୋଗ୍ରାଫି ଭାବେ କାମ ଆରମ୍ଭ କରିଥିଲି । ପରେ 2010 ରେ 'I Am Kalam' ଫିଲ୍ମ ସହ ମୁଁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲି । ମୁଁ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ ମୋର ଏହି ପ୍ରଥମ ଫିଲ୍ମ କରିଥିଲି । ଏହା ପରେ ମୋର ନିର୍ଦ୍ଦେଶନାରେ ଯାତ୍ରା ଆରମ୍ଭ କରିଛି । ମୁଁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ ଗାର୍ଲ 2' କରିଥିଲି । ଏହା ପରେ ଏବେ 'ଭୁଲ ଭୁଲେୟା 3' ରେ କାମ କରିଛି ।
ଇଟିଭି ଭାରତ: 'ଭୁଲ ଭୁଲେୟା 3'ରେ ନିଜ କାମକୁ ନେଇ କେତେ ସନ୍ତୁଷ୍ଟ ?
ରାଜ କିଶୋର: ''ମୁଁ ବହୁତ ଖୁସି । ମୋତେ ବହୁତ ଆତ୍ମସନ୍ତୋଷ ମିଳିଛି । ମୁଁ ଯେତେବେଳେ ପାଠ ପଢୁଥିଲି ମୋର ସିନେମା ପ୍ରତି ବେଶ ଆଗ୍ରହ ଥିଲା । ମୁଁ ମଧ୍ୟ ମୋ ଜୀବନରେ ଅନେକ ସଂଘର୍ଷ କରିଛି । ତା ପରେ ବି ମୁଁ ବହୁତ ଖୁସି ଏତେ ସୁନ୍ଦର ଫିଲ୍ମ କରିବାକୁ ମୁଁ ସୁଯୋଗ ପାଇଲି ଏବଂ ବହୁତ ଭଲ ମଧ୍ୟ ହୋଇଛି ଫିଲ୍ମ । ଦର୍ଶକ ମଧ୍ୟ ଏହି ଫିଲ୍ମ ଆସି ଦେଖିବା ନିହାତି ଦରକାର । ଏହା ଏକ ହରର କମେଡ଼ି ଫିଲ୍ମ ଯାହାକୁ ଲୋକେ ମଧ୍ୟ ବେଶ ଭଲ ପାଇବା ଦେଉଛନ୍ତି । ଏହା ପାଇଁ ମୁଁ ବହୁତ ଖୁସି । ''
ଇଟିଭି ଭାରତ: 'ଭୁଲ ଭୁଲେୟା 3' ରେ କାମ କରିବାର ଆପଣଙ୍କ ଅଭିଜ୍ଞତା କିପରି ଥିଲା ?
ରାଜ କିଶୋର:ମୁଁ ବହୁତ ଖୁସି ଏବଂ ଗର୍ବିତ ମଧ୍ୟ ଯେ ଯେ ମୋତେ ଅନିସ ବାଜମୀଙ୍କ ଭଳି ନିର୍ଦ୍ଦେଶକ ଏବଂ ଫିଲ୍ମର ଷ୍ଟାରକାଷ୍ଟ ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଭଳି ଅଭିନେତ୍ରୀଙ୍କ କାମ କରିବାର ସୁଯୋଗ ପାଇଛି । ମୁଁ ବହୁତ ଖୁସି । ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ମୋର ସ୍ୱପ୍ନ ଥିଲା । ମାଧୁରୀ ମୋର ପ୍ରିୟ ଅଭିନେତ୍ରୀ ତେଣୁ ମୋର ତାଙ୍କ ସହ କାମ କରିବାର ଇଚ୍ଛା ଥିଲା । ଯାହା ଏହି ଫିଲ୍ମ ଜରିଆରେ ପୁରା ହୋଇଛି । ମୋର 'Dream Come True' ହୋଇଛି । ବିଦ୍ୟା ବାଲାନ ଅଭିନେତ୍ରୀ ସହ କାମ କରି ବି ମୁଁ ବହୁତ ଖୁସି । ଆମେ ସେଟରେ ବହୁତ ମଜା କରିଛୁ । ବିଦ୍ୟା ବାଲାନ ମୋତେ ଓଡ଼ିଆ ଶିଖାଇବାକୁ କହିଥିଲେ । ଆମେ ସେଟରେ ଓଡ଼ିଆରେ ମଧ୍ୟ କଥା ହେଉ । 'ଭୁଲ ଭୁଲେୟା 3'ରେ କାମ କରିବା ମୋର ବହୁତ ଭଲ ଅଭିଜ୍ଞତା ରହିଛି । ମୁଁ ବହୁତ ଖୁସି ।
ଇଟିଭି ଭାରତ: ଆପଣଙ୍କ ପାଇଁ ବଲିଉଡରେ 16 ବର୍ଷ କାମ କରି ପରିଚୟ ସୃଷ୍ଟି କରିବା କେତେ ଚ୍ୟାଲେଞ୍ଜିଂ ଥିଲା ?
ରାଜ କିଶୋର:''ମୁଁ କେମିତି ଭଲ ଭଲ ସିନେମା କରିବି ମୋ ପାଇଁ ଏବେ ଏକ ଚ୍ୟାଲେଞ୍ଜିଂ । ଯେତେବେଳେ ଗୋଟେ ଭଲ ସିନେମା ଆସେ ତାପରେ କଣ କରିବେ କେଉଁ ଫିଲ୍ମ କରିବେ ସେନେଇ ଏକ ବଡ଼ ଟାସ୍କ ଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ହେଲେ ମୁଁ ଆଗାମୀ ଦିନରେ ଆଉ ଏକ ବଡ଼ ଫିଲ୍ମ ନେଇ ଫେରିବି ।''
ଇଟିଭି ଭାରତ: ଯାହା ଭାବି ଆପଣ ବଲିଉଡରେ ଏଣ୍ଟ୍ରି କରିଥିଲେ ତାହା ପାଇଛନ୍ତି ନା ଆଗକୁ ଆହୁରି କିଛି ବାକି ଅଛି ?