ଓଡିଶା

odisha

ଆସୁଛି 'ଭଗିଆ ଭାରିଯା', ଫିଲ୍ମରେ ରିଲ୍ସ କାହାଣୀ କହିବେ ହରି ଓ ଦେବଯାନୀ - Odia Film Bhagia Bharija

By ETV Bharat Odisha Team

Published : Jul 17, 2024, 6:13 PM IST

Odia Film Bhagia Bharija Release Date: 'ସୀତା' ପରେ ପୁଣି ପରଦାରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଦେବଯାନୀ । 'ଭଗିଆ ଭାରିଯା' ସହ ପରଦାରେ ନଜର ଆସିବେ ଅଭିନେତ୍ରୀ । ତେବେ ଏହି ଫିଲ୍ମ କେବେ ରିଲିଜ ହେବ ଏବଂ ଫିଲ୍ମର କାହାଣୀ କ'ଣ ? ଜାଣନ୍ତୁ,

ଆସୁଛି ଓଡ଼ିଆ ଫିଲ୍ମ 'ଭଗିଆ ଭାରିଯା', ଦେଖିବାକୁ ମିିଳିବ ହରି ଓ ଦେବଯାନୀଙ୍କ କେମେଷ୍ଟ୍ରି
ଆସୁଛି ଓଡ଼ିଆ ଫିଲ୍ମ 'ଭଗିଆ ଭାରିଯା', ଦେଖିବାକୁ ମିିଳିବ ହରି ଓ ଦେବଯାନୀଙ୍କ କେମେଷ୍ଟ୍ରି (ETV Bharat Odisha)

ଭୁବନେଶ୍ୱର: ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଭଗିଆ ଭାରିଯା' । ସିନେମାଟି ଏକ ସଚେତନାତାଧର୍ମୀ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ନୂଆ ସିନେମା 'ଭଗିଆ ଭାରିଯା' । ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଆୟୋଜିତ ହୋଇଯାଇଥିବା ସାମ୍ବାଦିକ ସମ୍ମିଳନୀରେ ମୁକ୍ତିଲାଭର ତାରିଖ ଘୋଷଣା କରିଛନ୍ତି ଚଳଚ୍ଚିତ୍ରର ଅନ୍ୟତମ ପ୍ରଯୋଜକ ଡ.ଭୀଷ୍ମ ରଥ । ଅଗଷ୍ଟ ୯ ତାରିଖରେ ଫିଲ୍ମ ରିଲିଜ ହେବ ।

ପ୍ରେସମିଟରେ ନିର୍ମାତା କହିଛନ୍ତି ଯେ, ଓଡିଆ ସିନେମାର ସ୍ଥିତି ସୁଧାରିବା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏଣୁ 'ଭଗିଆ ଭାରିଯା' ଟିମ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ଚଳଚିତ୍ର ସାମ୍ବାଦିକଙ୍କୁ ଭେଟି ସେମାନଙ୍କ ସହାୟତା ଲୋଡାଯିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଏହି ଚଳଚିତ୍ରର ଦର୍ଶକଙ୍କ ପାଇଁ ରହିଛି ବିଦେଶ ଭ୍ରମଣର ସୁଯୋଗ । ସିନେମା ଦେଖି ସବୁଠାରୁ ଉତ୍ତମ ମତାମତ ଦେଇଥିବା ସୌଭାଗ୍ୟଶାଳୀ ବିଜେତା ଏବଂ ତାଙ୍କ ପରିବାରକୁ ମାଲେସିଆ ଯିବାର ସୁଯୋଗ ମିଳିବ ।

'ଭଗିଆ ଭାରିଯା' ଷ୍ଟାରକାଷ୍ଟ
ତେବେ ନାୟକ ଭାବେ ହରିହର ମହାପାତ୍ର ରହିଥିବା ବେଳେ ନାୟିକା ଦେବଯାନୀଙ୍କ ସହ ଅନ୍ୟ ଭୂମିକାରେ ବବି ମିଶ୍ର ଓ ପୁପିନ୍ଦର ରହିଥିବା ବେଳେ କିନ୍ନର ଭୂମିକାରେ ନଜର ଆସିବେ । ହରିହର ମହାପାତ୍ରଙ୍କ ସହ ଡ. ଭୀଷ୍ମ ରଥ ପ୍ରଯୋଜନା ଦାୟିତ୍ୱ ସମ୍ଭଳିଥିବା ବେଳେ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ରହିଛନ୍ତି । କାହାଣୀ ମଧ୍ୟ ହରିହର ମହାପାତ୍ର ଲେଖିଥିବା ବେଳେ ଗୀତିକାର ଅରୁଣମନ୍ତ୍ରୀ ଓ ସ୍ୱର ସଜେଇଛନ୍ତି ମଳୟ ମିଶ୍ର । ଡିଓପିରେ ମୁମ୍ବାଇରେ ରହୁଥିବା ଓଡ଼ିଆ କ୍ୟାମେରାମ୍ୟାନ୍ ମାନସ ମିଶ୍ର ଥିବା ବେଳେ ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ ।


'ଭଗିଆ ଭାରିଯା' କାହାଣୀ

ଅନ୍ୟପଟେ 'ଭଗିଆ ଭାରିଯା' ଓଡ଼ିଶାର ପାଣି ପବନକୁ ନେଇ ପ୍ରସ୍ତୁତ ଏକ ଓଡ଼ିଆ ମୌଳିକ କାହାଣୀ ହୋଇଥିବା ବେଳେ ରିଲିସମାନିଆ ମହିଳାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । କାହାଣୀ ଅନୁସାରେ ଆଜିକାଲି ରିଲ୍ସ୍ ବନେଇ ସୋସିଆଲ ମିଡିଆରେ ଛାଡ଼ିବା ଏକ ଫ୍ୟାସନ ହେଇଗଲାଣି । ସାତରୁ ସତୁରୀ ସମସ୍ତେ ଏବେ ରିଲ୍ସ ମାୟାରେ ବାୟା । ସମସ୍ତେ ଯେ ଏଥିରେ ମାତି ଖରାପ ବାର୍ତ୍ତା ଦେଉଛନ୍ତି ତାହା ନୁହେଁ, ଅନେକ ଭଲ ବାର୍ତ୍ତା ବି ଦେଉଛନ୍ତି । ସେହିପରି ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯାକୁ ଏହି ନିଶା ଘାରିଛି । ରିଲ୍ସ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ସେ ଲକ୍ଷ୍ୟ ରଖିଛି । ହେଲେ ସେ ଲକ୍ଷ୍ୟ ପୂରଣ ହେଉଛି କି ନାହିଁ ତାହା ଫିଲ୍ମ ରେ ଦେଖିବାକୁ ପାଇବେ ଦର୍ଶକ । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୂର ଉପାଦାନ ରହିଛି । 'ଭଗିଆ ଭାରିଯା" ସମୁଦାୟ ୪୦ଟି ହଲରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ପ୍ରଯୋଜନା ସଂସ୍ଥା ଏହାର ମୁକ୍ତିଲାଭକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details