ଭୁବନେଶ୍ୱର: ରାଜଧାନୀରେ ଖୋଲିବ NSD ଆଞ୍ଚଳିକ ଶାଖା । ଏଣିକି ଦିଲ୍ଲୀ ନଯାଇ ଏଠି ନାଟ୍ୟ ତାଲିମ ପାଇବେ ଛାତ୍ରଛାତ୍ରୀ । ଏଠାରେ ଓଡ଼ିଶାର କଳା, ସଂସ୍କୃତି, ନାଟକ ବିଷୟରେ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯିବ ଶିକ୍ଷା । ତେବେ ଭୁବନେଶ୍ୱରରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଆଉଟ୍ ରିଚ୍) ସେଣ୍ଟର ଖୋଲା ହେବାକୁ ଥିବା ବେଳେ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ କ'ଣ ସୁବିଧା ସୁଯୋଗ ପାଇବେ ତାକୁ ନେଇ ବଢିଛି ଦ୍ଵନ୍ଦ୍ୱ ।
ଭୁବନେଶ୍ୱରରେ ଖୋଲିବ NSD ଆଞ୍ଚଳିକ ଶାଖା
ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ତଥା NSD ର ଆଞ୍ଚଳିକ ଶାଖା (ଆଉଟ୍ ରିଚ୍ ସେଣ୍ଟର) । ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗ ବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ଏହି ସେଣ୍ଟର । ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି ଏବଂ ୫ ଏକର ଜମି ସାଙ୍ଗକୁ ପ୍ରାରମ୍ଭିକ ସ୍ତରରେ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରରେ ୨୮ ଟି ସିଟ ରହିବ । ଏନେଇ ସଂସ୍କୃତି ମନ୍ତ୍ରୀ ପ୍ରକାଶ କଲା ପରେ ନାଟ୍ୟ ସଂସ୍ଥା, ନାଟ୍ୟ ପ୍ରେମୀ ଓ ଥିଏଟର କଳାକାରଙ୍କ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
NSD branch to be open in bhubaneswar (ETV Bharat Odisha) ନାଟ୍ୟ କଳାକାରଙ୍କ ପ୍ରତିକ୍ରିୟା; ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ
ଅନେକ ରାଜ୍ୟରେ NSDର ଶାଖା ରହିଛି ଓ ଆମ ରାଜ୍ୟରେ NSDର ଶାଖା ନିହାତି ଆବଶ୍ୟକ ଥିଲା ବୋଲି ନାଟ୍ୟଗୁରୁ କହିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।ଏହାଦ୍ୱାରା ଆମ କଳା ସଂସ୍କୃତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ ଓ ଓଡ଼ିଆ ଭାଷାକୁ ରାଷ୍ଟ୍ରୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ମିଳିବାରେ ସହାୟକ ହେବ ବୋଲି କହିଛନ୍ତି ନାଟ୍ୟଗୁରୁ ଓ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତ । ହେଲେ ଓଡ଼ିଶାର ଆଗ୍ରହୀ ଛାତ୍ରଛାତ୍ରୀ ଏଠାକାର ଚୟନ ପ୍ରକ୍ରିୟାରେ ଚୟନ ହୋଇପାରିବେ କି ନାହିଁ ସେନେଇ ଉଠିଛି ପ୍ରଶ୍ନ ।
ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମିଳିବ ତ ସୁବିଧା !
କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟNSDର ଶାଖା ରହିଛି । କିନ୍ତୁ ସେଠାରେ ନିଜ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସିଟ ସଂରକ୍ଷିତ ହୋଇ ରହିଛି ଓ ଅନ୍ୟାନ୍ୟ ସିଟରେ ମଧ୍ୟ ଦକ୍ଷିଣ ଭାରତର ଅନ୍ୟାନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଭର୍ତ୍ତି ହେଉଛନ୍ତି । ଅନ୍ୟପକ୍ଷରେ NSD ର ପାଠ୍ୟକ୍ରମ ଓ ପରୀକ୍ଷାରେ ହିନ୍ଦୀ ଆବଶ୍ୟକ ହୁଏ । ଯେଉଁଥିପାଇଁ ଆମ ପିଲା ପ୍ରତିବର୍ଷ ସେଠାରେ ସିଟ ଖଣ୍ଡେ ପାଇ ପାରନ୍ତି ନାହିଁ । ତେଣୁ ଯଦି ଓଡ଼ିଶାରେ ଆଉଟରିଚ ସେଣ୍ଟର ହୁଏ ତେବେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ । ସାଧାରଣତଃ ଅନ୍ୟ ରାଜ୍ୟରେ ଥିବା NSD ଶାଖା ଗୁଡିକରେ ଯେମିତି ସିଟ ସଂରକ୍ଷିତ ରୁହେ ସେହିଭଳି ସଂରକ୍ଷଣ ଦେବା ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ।
ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ପ୍ରତିଷ୍ଠା ହେବ NSDର ଆଞ୍ଚଳିକ ଶାଖା, ଦିଆଯିବ ଅଭିନୟ ସହ ନିର୍ଦ୍ଦେଶନା ଶିକ୍ଷା
୧୯୫୯ ରେ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ୧୯୭୫ ରୁ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସ୍ବୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରି ଆସୁଛି । ବଲିଉଡ ବରିଷ୍ଠ ଅଭିନେତା ପରେଶ ରାୱଲ ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି । ତେଣୁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା ସରକାର ଚିନ୍ତା କରୁଥିବା ବେଳେ ପ୍ରାଥମିକତା କେତେ ମିଳିବ ଓ ଚୟନ କେମିତି ହେବ ତାହାକୁ ହିଁ ଅପେକ୍ଷା ।
ଇଟିଭି ଭାରତ, ଭୁବନେଶ୍ୱର