ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହାରୁଖ ଖାନଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ଏପରି ଭାରତର ଅନେକ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନାଁ ସାମିଲ ହୋଇଛି । ଦୁବାଇର ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ଏବେ ଅଲ୍ଲୁ ଅର୍ଜୁନଙ୍କ ମହମ ପ୍ରତିମୂର୍ତ୍ତି ଲାଗିବାକୁ ଯାଉଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୮ରେ ହେବାକୁ ଥିବା ବେଳେ ଅଭିନେତା ଦୁବାଇ ଯାଇ ଏହାକୁ ଉନ୍ମୋଚିତ କରିବେ ବୋଲି ଜଣାପଡିଛି ।
ଅଲ୍ଲୁ ଅର୍ଜୁନଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚନ
ଗତବର୍ଷ ୨୦୨୩ ମସିହାରେ ଅଭିନେତା ଅଲ୍ଲୁ ଅର୍ଜୁନ ଦୁବାଇର ମ୍ୟାଡାମ୍ ତୁଷାଦ ସଂଗ୍ରହାଳୟ ପରିଦର୍ଶନ କରି ତାଙ୍କ ମହମ ପ୍ରତିମୂର୍ତ୍ତିକୁ ଦେଖିଥିଲେ । ଯଦିଓ ଏହା ସେହି ବର୍ଷ ଶେଷରେ ଉନ୍ମୋଚିତ ହେବାର ଥିଲା, କିନ୍ତୁ ଏହା କୌଣସି କାରଣରୁ ହୋଇପାରିଲା ନାହିଁ । ହେଲେ ବର୍ତ୍ତମାନ ମ୍ୟୁଜିୟମ ପକ୍ଷରୁ ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛି । ମାର୍ଚ୍ଚ ୨୮ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବ । ଏନେଇ ସଂଗ୍ରହାଳୟ ପକ୍ଷରୁ ଅଫିସିଆଲ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।
ପୁଷ୍ପା ଆଇକନିକ ପୋଜରେ ଅଲ୍ଲୁ ଅର୍ଜୁନଙ୍କ ମହମ ପ୍ରତିମୂର୍ତ୍ତି ନିର୍ମିତ
ସଂଗ୍ରହାଳୟ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ଅଲ୍ଲୁ ଅର୍ଜୁନଙ୍କୁ ଏକ ଷ୍ଟାଇଲିସ୍ ଅଲ-ବ୍ଲାକ ଆଉଟଫିଟରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଲାଲ୍ ଜ୍ୟାକେଟ୍ ପିନ୍ଧିଥିବା ଏହି ପ୍ରତିମୂର୍ତ୍ତିର ଝଲକ ମଧ୍ୟ ଦେଖିବାକୁ ମିଳେ । ଏହି ପ୍ରତିମୂର୍ତ୍ତି ହିଟ୍ ଚଳଚ୍ଚିତ୍ର 'ପୁଷ୍ପା: ଦ ରାଇଜ୍'ର ଆଇକନିକ୍ ପୋଜ 'ମେ ଝୁକୁଙ୍ଗା ନେଇ' ଦେଇଥିବାର ନଜର ଆସିଛି । ଏହା ସେୟାର କରି ସେ ଲେଖିଛନ୍ତି, "ଅଲ୍ଲୁ ଅର୍ଜୁନ ଦୁବାଇକୁ ଆସୁଛନ୍ତି । ଆପଣ ମଧ୍ୟ 28 ତାରିଖ ଗୁରୁବାର ଦିନ ରାତି 8 ଟାରେ ମ୍ୟାଡାମ୍ ତୁସାଉଡ୍ ଦୁବାଇ ଆସନ୍ତୁ ଏବଂ ଆପଣ ଏକ ବଡ ଖୁଲାସାରେ ଯୋଗଦେବା ପାଇଁ ଏକ ସୁଯୋଗ ଜିତିପାରିବେ ।''
ଅଲ୍ଲୁ ଅର୍ଜୁନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ୨୦୨୧ ଡିସେମ୍ବରରେ ମୁକ୍ତିଲାଭ କରିଥିବା ଫିଲ୍ମ 'ପୁଷ୍ପା: ଦ ରାଇଜ' । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ଅଭିନୟ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । ବର୍ତ୍ତମାନ 'ପୁଷ୍ପା ୨' ସହ ପୁଣି ରାଜ କରିବାକୁ ଯାଉଛନ୍ତି ଅଲ୍ଲୁ । ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ ।
ଏହା ମଧ୍ୟ ପଢନ୍ତୁ:'ପୁଷ୍ପା ୨' ସେଟରୁ ରଶ୍ମିକା ମନ୍ଦାନାଙ୍କ ଲୁକ ଭାଇରାଲ
'ପୁଷ୍ପା: ଦ ରୁଲ' ଏହି ଦିନ ହେବ ରିଲିଜ
'ପୁଷ୍ପା: ଦ ରୁଲ' ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ଏବଂ ମୁତ୍ରମଶେଟ୍ଟୀ ମିଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୁନୀଲ, ଅଜୟ, ରାଓ ରମେଶ, ଅନୁସିୟା ଏବଂ ଅନ୍ୟ କଳାକାରଙ୍କୁ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।