ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା । ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶନିବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟର ନନ୍ଦିୟାଲଠାରେ ନିଜ ବନ୍ଧୁ ତଥା YSRCP ବିଧାୟକ ସିଲ୍ପା ରବିଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ।
ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏବେ ଆଇନ ଉଲ୍ଲଂଘନ ଅଭିଯୋଗ ହୋଇଛି । ଶନିବାର ଦିନ ନିଜ ବନ୍ଧୁ ତଥା YSRCP ବିଧାୟକ ସିଲ୍ପା ରବି ରେଡ୍ଡୀଙ୍କୁ ଭେଟିବାକୁ ଆନ୍ଧ୍ରପ୍ରଦେଶ ନନ୍ଦିୟାଲ ଯାଇଥିଲେ ଅଲ୍ଲୁ ଅର୍ଜୁନ । ଏହି ଖବର ପାଇବା ମାତ୍ରେ ବିଧାୟକଙ୍କ ଘର ସମ୍ମୁଖରେ ଅଭିନେତାଙ୍କ ଫ୍ୟାନ୍ସଙ୍କ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଫ୍ୟାନ୍ସ ତାଙ୍କର ଝଲକ ପାଇବା ପାଇଁ ଘର ବାହାରେ ଭିଡ ଜମାଇଥିଲେ । ଏହାପରେ ପୋଲିସ ସୁପରଷ୍ଟାର ଓ ତାଙ୍କ ବିଧାୟକ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ବିଧାୟକ ସିଲ୍ପା ରବି YSRCPରୁ ଚଳିତ ନିର୍ବାଚନରେ ପୁଣି ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ଛିଡା ହୋଇଥିବା ଆସନରେ ମେ' ୧୩ ତାରିଖରେ ଭୋଟ ପଡିବାକୁ ଯାଉଛି । ଶନିବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାବେଳେ ଶେଷ ଦିନରେ ଅଲ୍ଲୁ ଅର୍ଜୁନ ତାଙ୍କ ନିକଟରେ ପହଞ୍ଚିଥିଲେ । ଅଭିନେତାଙ୍କୁ ଦେଖିବା ପାଇଁ ବିଧାୟକଙ୍କ ଘର ବାହାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ, ସିଲ୍ପା ରବି ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ବାଲକୋନିରେ ଫ୍ୟାନ୍ସକୁ ଦେଖା ଦେଇଥିଲେ ।