ହାଇଦ୍ରାବାଦ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୪ରେ ବଜେଟ୍ ଆଣିବେ । ଏହାକୁ ମିଶାଇ ଷଷ୍ଠ ଥର ପାଇଁ ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ତେବେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନର ରେକର୍ଡ ମୋରାରଜୀ ଦେଶାଇଙ୍କ ନାମରେ ରହିଛି । କହିରଖୁଛି କି, ମୋରାରଜୀ ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଅର୍ଥମନ୍ତ୍ରୀ ଭାବରେ ସେ ୧୦ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ତାଙ୍କ ବାଦ୍ ପି. ଚିଦାମ୍ବରମଙ୍କ ନାଁ ପଡେ, ଯିଏକି ୯ ଥର ଦେଶର ବଜେଟ୍ ଉପସ୍ଥାପନ କରିଥିଲେ । କିନ୍ତୁ ଏମିତି ଦେଶର ୩ ଜଣ ଅର୍ଥମନ୍ତ୍ରୀ ରହିଛନ୍ତି, ଯାହାଙ୍କୁ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ମିଳିନଥିଲା । ସେହି ୩ ଜଣଙ୍କୁ ଏହି ସୁଯୋଗ ନମିଳିବା ପଛରେ ଭିନ୍ନ ଭିନ୍ନ କୌତୁଳହପୂର୍ଣ୍ଣ କାରଣ ରହିଛି । ଜାଣନ୍ତୁ କିଏ ଥିଲେ ସେହି ଅର୍ଥମନ୍ତ୍ରୀ..
କ୍ଷିତିଜ ଚନ୍ଦ୍ର ନିୟୋଗୀ: କେସି ନିୟୋଗୀ ସ୍ବାଧୀନ ଭାରତର ଦ୍ବିତୀୟ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ଘର ପଶ୍ଚିମବଙ୍ଗରେ । ସେ ଦେଶର ପ୍ରଥମ ଅର୍ଥ ଆୟୋଗର ଅଧ୍ୟକ୍ଷ ଥିଲେ ମଧ୍ୟ । ୧୯୫୧ମସିହାରେ ଅର୍ଥ ଆୟୋଗ ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ୧୯୪୮ ଅଗଷ୍ଟରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ.ଶନମୁଖମଙ୍କ ସ୍ଥାନ ଗ୍ରହଣ କରିଥିଲେ । କିନ୍ତୁ ସେତେବଳେ ସେ ମାତ୍ର ୩୫ ଦିନ ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ । ତେଣୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାର ଅବସର ମିଳିନଥିଲା । ଏହାପରେ ୧୯୪୮ ମସିସାରେ ନିୟୋଗୀଙ୍କ ସ୍ଥାନରେ ଜନ ମଥାଇ ଅର୍ଥମନ୍ତ୍ରୀ ହୋଇଥିଲେ । ଏହିପରି କେସି ନିୟୋଗୀ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଥିଲେ, ଯିଏକି ବଜେଟ୍ ଉପସ୍ଥାପନ କରିନଥିଲେ । ସେ ସମ୍ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ଏବଂ ଯେତେବେଳେ ଦେଶରେ ପ୍ରଥମ ସରକାର ଗଠନ ହେଲା, ଏଥିରେ ତାଙ୍କୁ ସ୍ଥାନ ମିଳିଥିଲା । ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଅନ୍ତରୀଣ ବଜେଟ କ'ଣ, କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ବୁଝନ୍ତୁ ସରଳ ଭାଷାରେ
ହେମବତୀ ନନ୍ଦନ ବହୁଗୁଣା:ଦେଶର ରାଜନୀତିରେ ବଡ଼ ନାମ ଥିବା ହେମବତୀ ନନ୍ଦନ ବହୁଗୁଣା ଦୁଇ ଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ୪ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ । ୧୯୭୯ ମସିହାରେ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ତାଙ୍କୁ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଥିଲା । ୧୩ତମ ଅର୍ଥମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ୨୮ ଜୁଲାଇ ୧୮୭୯ରୁ ୨୫ ଅକ୍ଟୋବର ୧୯୭୯ ପର୍ଯ୍ୟନ୍ତ ରହିଥିଲା । ଏତେ ଛୋଟ କାର୍ଯ୍ୟକାଳ ହେବା କାରଣରୁ ତାଙ୍କୁ ବଜେଟ୍ ଭାଷଣ ପଢିବାର ସୁଯୋଗ ମିଳିନଥିଲା । ୧୯୮୪ ଲୋକସଭା ନିର୍ବାଚନରେ ହେମବତୀ ବହୁଗୁଣାଙ୍କ ପରାଜୟ ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା, କାରଣ ଆହ୍ଲାବାଦ ଲୋକସଭା ଆସନରେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ବଲିଉଡ ଅଭିନେତା ଅମିତାଭ ବଚ୍ଚନ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ ।