ଓଡିଶା

odisha

ଶକ୍ତିକାନ୍ତ ଦାସ ପୁଣି ଶ୍ରେଷ୍ଠ 'ଗଭର୍ଣ୍ଣର', ଆମେରିକା, କାନାଡାକୁ ବି ପଛରେ ପକାଇଲେ ଏହି ଓଡ଼ିଆ ପୁଅ - RBI Governor Shaktikanta Das

By ETV Bharat Odisha Team

Published : Aug 21, 2024, 12:01 PM IST

RBI Governor Shaktikanta Das Ranked Top Central Banker: ଓଡ଼ିଆ ପୁଅ ତଥା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣିଥରେ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ପଢନ୍ତୁ ପୁରା ଖବର

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ:ଶକ୍ତିକାନ୍ତ ଦାସ ପୁଣିଥରେ ଶ୍ରେଷ୍ଠ ସେଣ୍ଟ୍ରାଲ ବ୍ୟାଙ୍କର । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିଶ୍ବର ଟପ୍ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ରହିଛନ୍ତି । ଅର୍ଥନୀତି ପରିଚାଳନାରେ ଉଚ୍ଚକୋଟ୍ଟୀର ନେତୃତ୍ବ ପାଇଁ ଆମେରିକା ଭିତ୍ତିକ "ଗ୍ଲୋବାଲ ଫାଇନାନ୍ସ" ପତ୍ରିକା ପକ୍ଷରୁ ତାଙ୍କୁ ଏଥର ମଧ୍ୟ A+ ରେଟିଂ ପ୍ରଦାନ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶକ୍ତିକାନ୍ତଙ୍କ ବ୍ୟତୀତ ଡେନମାର୍କର କ୍ରିଷ୍ଟିଆନ କେଟ୍ଟେଲ ଥୋମସେନ ଓ ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଥୋମାସ୍ ଜୋର୍ଡାନ ସର୍ବୋଚ୍ଚ A+ ରେଟିଂ ପାଇଛନ୍ତି ।

  • 3 ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କୁ A+ ରେଟିଂ

ଦେଶର ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ମୁଦ୍ରା ସ୍ଥିରତା, ସୁଧହାର ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ବ ପାଇଁ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କୁ A+ ରେଟିଂ ସହିତ ଶ୍ରେଷ୍ଠ ବ୍ୟାଙ୍କର ମାନ୍ୟତା ପ୍ରଦାନ କରାଯାଏ । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ଏହି ରିପୋର୍ଟ କାର୍ଡରେ ଶକ୍ତିକାନ୍ତଙ୍କ ସମେତ ସ୍ବିଜରଲ୍ୟାଣ୍ଡ ଓ ଡେନମାର୍କ ଗଭର୍ଣ୍ଣର A+ ରେଟିଂ ପାଇଛନ୍ତି । ଏହା ପଛକୁ ବ୍ରାଜିଲ, ଚିଲି, ମରିସସ୍, ମୋରକ୍କୋ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଭିଏତନାମ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ A ଗ୍ରେଡ ମିଳିଛି । A- ବର୍ଗରେ ଆମେରିକା, କାନାଡା, ୟୁରୋପୀୟ ୟୁନିଅନ, ଇଣ୍ଡୋନେସିଆ, ସ୍ବିଡେନ, ପେରୁ, ଫିଲିପାଇନ୍ସ, ନରୱେ ଭଳି ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସପତ୍ନୀକ ଆସି ଲିଙ୍ଗରାଜ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର, କହିଲେ 'ଜୟ ଲିଙ୍ଗରାଜ' - Shaktikanta Das at Lingaraja

  • ପ୍ରଶାସନକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

କହିରଖୁଛୁ କି, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘର ଓଡ଼ିଶାରେ । 1957 ମସିହା ଫେବୃଆରୀ 26ର ଭୁବନେଶ୍ବରଠାରେ ତାଙ୍କର ଜନ୍ମ । ସେ ଉତ୍କଳ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ । ଶକ୍ତିକାନ୍ତ 1980 ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଜଣେ ଅର୍ଥନୀତିଜ୍ଞ ହୋଇନଥିଲେ ମଧ୍ୟ ପ୍ରଶାସକରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଖ୍ୟ ପଦ ଅଳଙ୍କୃତ କରିଛନ୍ତି । 2014ରୁ 2015 ପର୍ଯ୍ୟନ୍ତ ସେ ରେଭେନ୍ୟୁ ସେକ୍ରେଟାରୀ ମଧ୍ୟ ରହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ଲୋବାଲ ଫାଇନାନ୍ସ ମାଗାଜିନ ଦ୍ବାରା 1994 ମସିହାରୁ ଏହି ବାର୍ଷିକ ରିପୋର୍ଟ ପ୍ରକାଶିତ ହୋଇଆସୁଛି। ଏଥିରେ ୟୁରୋପୀୟ ୟୁନିଅନ, ଇଷ୍ଟର୍ଣ୍ଣ କାରିବିଅନ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ସେଣ୍ଟ୍ରାଲ ଆଫ୍ରିକାନ ଷ୍ଟେଟ୍ସ ସମେତ 101 ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କୁ ସ୍ଥାନିତ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details