ନୂଆଦିଲ୍ଲୀ:ସଂସଦରେ ଆଜି ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଆଣିଛନ୍ତି ଅର୍ଥମନ୍ତ୍ରୀ । ଷଷ୍ଠ ଥର ପାଇଁ ବଜେଟ ପେଡି ଖୋଲି ବିକଶିତ ଭାରତର ନାରା ଦେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରେଳ, କୃଷି ଏବଂ ନାରୀ ସଶକ୍ତିକରଣ ପରି କ୍ଷେତ୍ରକୁ ମିଳିଛି ବଜେଟର ସିଂହ ଭାଗ । ଗୃହରେ ଉପସ୍ଥାପିତ ହେବା ପରେ କାମଚଳା ବଜେଟକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ । ଗବେଷଣା ଏବଂ ଉଦ୍ଭାବନକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ବକୁ ପ୍ରଶଂସା କରିଛନ୍ତି ମୋଦି ।
ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେବା ସହିତ ସମାଜର ସମସ୍ତ ବର୍ଗଙ୍କୁ ଖୁସ କରିବାକୁ ଉଦ୍ୟମ କରିଛନ୍ତି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର କ୍ଷେତ୍ରକୁ ପରିବର୍ତ୍ତନ କରିନାହିଁନ୍ତି ଏବଂ ଆୟକର ସୀମାକୁ ମଧ୍ୟ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ମଧ୍ୟବିତ୍ତଙ୍କ ଜୀବନ ମାନରେ ଉନ୍ନତି ପାଇଁ ସରକାର କାମ କରୁଥିବା କହିବା ସହ କରଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ତରୀଣ ବଜେଟରେ ବିକଶିତ ଭାରତ ନାରା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ । ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ।
ସେହିପରି ୮୩ ଲକ୍ଷ ଏସଏଚଜିରେ ଏବେ ୯ କୋଟି ମହିଳା ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ । ସେପଟେ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ଆବଣ୍ଟନ କରାଯାଇଛି । ପିଏମ କିଷାନ ଯୋଜନାରେ ଲାଭବାନ ହେବେ 11.8 କୋଟି 'ଅନ୍ନଦାତା' ।