ନୂଆଦିଲ୍ଲୀ:ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଅନେକ ବିଲେନିୟର୍ସଙ୍କ ନାମ ସାମିଲ ଅଛି । ତେବେ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଧନୀ ତାଲିକାର ଶୀର୍ଷରେ ରହିଛନ୍ତି ଏଲମ ମସ୍କ । ଯଦି ତାଲିକାରେ ଭାରତର ଶ୍ରେଷ୍ଠ 10 ବିଲେନିୟର୍ସଙ୍କ ବିଷୟରେ ଦେଖାଯାଏ ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ଅଛନ୍ତି । ବିଶ୍ବର ଧନୀ ବ୍ୟକ୍ତି ତାଲିକାର 11 ନମ୍ବର ସ୍ଥାନରେ ଅଛନ୍ତି ମୁକେଶ । ଏହାସହ ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀ 13 ତମ ସ୍ଥାନରେ ଥିବା ବେଳେ ଭାରତର ଧନୀ ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଯଦି ବ୍ଲୁମବର୍ଗ ତାଲିକାରେ ଭାରତର ଧନୀ ବ୍ୟକ୍ତିଙ୍କ ବିଷୟରେ ଦେଖାଯାଏ ତେବେ 8 ଜଣ ଭାରତୀୟ ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନ ପାଇଛନ୍ତି ।
ଜାଣନ୍ତୁ କେଉଁ ଭାରତୀୟମାନେ ବିଶ୍ବର ଶ୍ରେଷ୍ଠ 100 ଧନୀ ତାଲିକାରେ ସ୍ଥାନ ପାଇଛନ୍ତି....
ମୁକେଶ ଅମ୍ବାନୀ:
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଚେୟାରମ୍ୟାନ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ମୁକେଶ ବିଶ୍ବର ଧନୀ ତାଲିକାରେ 11 ତମ ସ୍ଥାନରେ ରହିଛନ୍ତି । ମୁକେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 109 ବିଲିୟନ ଡ଼ଲାର୍ ।
ଗୌତମ ଆଦାନୀ:
ଆଦାନୀ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ହେଉଛନ୍ତି ଗୌତମ ଆଦାନୀ । ଗୌତମ ବିଶ୍ବର ଧନୀ ତାଲିକାରେ 13ତମ ସ୍ଥାନରେ ରହିଥିବା ବେଳେ ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି । ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ 101 ବିଲିୟନ ଡଲାର ।
ଶିବ ନାଦର:
HCL ଗ୍ରୁପର ମାଲିକ ହେଉଛନ୍ତି ଶିବ ନାଦର । ବ୍ଲୁମବର୍ଗ ତାଲିକା ଅନୁଯାୟୀ, ଶିବ ନାଦର ବିଶ୍ବ ଧନୀ ତାଲିକାର 37 ନମ୍ବର ସ୍ଥାନରେ ଅଛନ୍ତି । ଏହାସହ ଭାରତର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି ।
ଆଜିମ୍ ପ୍ରେମଜୀ:
ୱିପ୍ରୋ ଲିମିଟେଡର ଚେୟାରମ୍ୟାନ ଥିବା ଭାରତୀୟ ବ୍ୟବସାୟୀ ହେଉଛନ୍ତି ଅଜିମ ହାସିମ ପ୍ରେମଜୀ । ବ୍ଲୁମବର୍ଗ ତାଲିକାରେ 53 ନମ୍ବର ସ୍ଥାନ ହାସଲ କରିବା ସହ ଭାରତର 4ର୍ଥ ଧନୀ ବ୍ୟକ୍ତି ଅଟନ୍ତି ପ୍ରେମଜୀ ।