ନୂଆଦିଲ୍ଲୀ:କେନ୍ଦ୍ର ସରକାର ଆଜି (ଶନିବାର) ଅଶୋଧିତ ଖଣିଜ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଅଶୋଧିତ ପେଟ୍ରୋଲିୟମ ତୈଳ ଉପରେ ପ୍ରତି ଟନ ପିଛା 3200 ଟଙ୍କା ହାରରେ ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରାଯିବ । ଆଜିଠାରୁ ( ଫେବୃୟାରୀ 3 ତାରିଖ) ରୁ ଏହି ନୂଆ ରେଟ କାର୍ଯ୍ୟକାରୀ ହୋଇଛି । ସୂଚନା ଅନୁସାରେ, ଏହା ପୂର୍ବରୁ ଅଶୋଧିତ ତୈଳ ଉପରେ ପ୍ରତି ଟନ ପିଛା 1700 ଟଙ୍କା ୱିଣ୍ଡଫଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଯଦି ଡିଜେଲ, ପେଟ୍ରୋଲ ଏବଂ ବିମାନ ଇନ୍ଧନ ବିଷୟରେ କହିବା ତେବେ କେନ୍ଦ୍ର ସରକାର ଏଥିରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଡିଜେଲ, ପେଟ୍ରୋଲ ଓ ଏଟିଏଫ (ଏଭିଏସନ ଟର୍ବାଇନ ଫ୍ୟୁଲ) ଉପରେ କୌଣସି ୱିଣ୍ଡଫଲ ଟ୍ୟାକ୍ସ ରହିନାହିଁ । ଏହାସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଉପରେ ୱିଣ୍ଡଫଲ ଟ୍ୟାକ୍ସ ହାର ଶୂନ୍ୟ ରହିବ ।
ସୂଚନା ଅନୁସାରେ, ଏହା ପୂର୍ବରୁ ଜାନୁୟାରୀ 16 ତାରିଖରେ ହୋଇଥିବା ପରିବର୍ତ୍ତନ ଗୁଡ଼ିକରେ ଅଶୋଧିତ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସ ହାର ହ୍ରାସ କରାଯାଇଥିଲା । ଜାନୁଆରୀ 16 ରେ ଅଶୋଧିତ ପେଟ୍ରୋଲିୟମ ତୈଳ ଉପରେ ସରକାର ଅପ୍ରତ୍ୟାଶିତ ଟିକସକୁ ଟନ ପିଛା 2300 ଟଙ୍କାରୁ 1700 ଟଙ୍କାକୁ ହ୍ରାସ କରିଥିଲେ । ସେହିପରି ଡିଜେଲ, ପେଟ୍ରୋଲ ଓ ଏଟିଏଫ ଉପରେ ୱିଣ୍ଡଫଲ ଟ୍ୟାକ୍ସ ହାର ଶୂନ୍ୟ ରହିଥିଲା । ଏହା ବ୍ୟତୀତ ଜାନୁୟାରୀ 2ରେ ସରକାର ଅଶୋଧିତ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସକୁ ଟନ ପିଛା 1300 ଟଙ୍କାରୁ 2300 ଟଙ୍କାକୁ ହ୍ରାସ କରିଥିଲେ । ତେବେ ସରକାର ପ୍ରତି ଦୁଇ ସପ୍ତାହରେ ୱିଣ୍ଡଫଲ ଟ୍ୟାକ୍ସ ସମୀକ୍ଷା କରନ୍ତି । 2022 ମସିହା ଜୁଲାଇ 22 ତାରିଖରୁ ଭାରତ ସରକାର ଅଶୋଧିତ ତୈଳ ଉତ୍ପାଦକଙ୍କ ଉପରେ ଏହି ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ବଜେଟ ୨୦୨୪: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ପ୍ରମୁଖ ପର୍ଯ୍ୟଟନସ୍ଥଳ ହେବ ଲାକ୍ଷାଦ୍ୱୀପ