ନୂଆଦିଲ୍ଲୀ:ଆଜି ଆସିବ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ । ଆଗକୁ ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଆଗତ ହେବ । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍ । ସରକାର ଏଥିରେ କୌଣସି ନୂଆ ଯୋଜନା କିମ୍ବା ଲୋକଙ୍କୁ ଖୁସି କଲାଭଳି ବଡ଼ ଘୋଷଣା କରିନପାରନ୍ତି । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ । ତେବେ କାମଚଳା ବଜେଟ୍ରେ କୌଣସି ବଡ଼ ଘୋଷଣା ନହେବା ନେଇ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଥିଲେ । ତଥାପି ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀ, ଶ୍ରମିକ, ମହିଳା ଓ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ମିଳିବାର ସମ୍ଭାବନା ରହିଛି । ବଜେଟରେ କୃଷିକ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ମିଳିପାରେ ।
କାମଚଳା ବଜେଟ୍ରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦିଆଯିବ।ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । କାମଚଳା ବଜେଟକୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ ଓ ଆୟକର ସ୍ଲାବ ଉପରେ ସମସ୍ତଙ୍କ ନଜର ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଇତ୍ୟାଦି କ୍ଷେତ୍ରକୁ ବଜେଟ୍ରେ ପ୍ରାଥମିକତା ଦିଆଯାଇପାରେ । ରେଲୱେ ପାଇଁ ରେକର୍ଡ ବ୍ୟୟବରାଦ ନେଇ ମଧ୍ୟ ଆଶା ରହିଛି । ମହିଳାଙ୍କ ବିକାଶକୁ ଧ୍ୟାନ ଦେଇ କିଛି ଆଖିଦୃଶିଆ ଘୋଷଣା ହୋଇପାରେ । ଆୟକର ରିହାତି ବଢ଼ିବା ନେଇ ବି ସମସ୍ତେ ଆଶାବାଦୀ ରହିଛନ୍ତି । ସେହିପରି ଭାରତ ସରକାର ୨୦୪୭ ସୁଦ୍ଧା $୩୦ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦେଶରେ ଭିତ୍ତିଭୂମି ଓ ନିଯୁକ୍ତି ସୁଯୋଗକୁ ପ୍ରାଧାନ୍ୟ ଦେବାର ସମ୍ଭାବନା ରହିଛି ।