ନୂଆଦିଲ୍ଲୀ/ଭୁବନେଶ୍ବର:ଉଦଘାଟିତ ହେଲା 'ବିଶ୍ୱ ପୁସ୍ତକ ମେଳା-୨୦୨୪' । ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ଭାରତ ହେଉଛି ଏକ ମାତ୍ର ଦେଶ ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ନିଜର ଚମକ ହରାଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ (ଏନବିଟି) ପକ୍ଷରୁ ଆୟୋଜିତ ହୋଇଛି ଏହି ପୁସ୍ତକ ମେଳା । ୫୨ତମ ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୪’କୁ ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ପୁସ୍ତକ ସହିତ ମାନବ ଜାତିର ସବୁବେଳେ ଅନାବିଳ ସମ୍ପର୍କ ରହିଆସିଛି । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ । ଇଜିପ୍ଟର ପାପିରସ, ଭାରତର ତାଳପତ୍ର, ଭୋଜପତ୍ର ପାଣ୍ଡୁଲିପି ହେଉ କିମ୍ବା ଚୀନର ପେପର ବୁକ୍, ମନୁଷ୍ୟକୁ ସବୁବେଳେ ଲିଖିତ ଶବ୍ଦଟି ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ ।"
ସେ ଆହୁରି ମଧ୍ୟ କହିଛନ୍ତି, "ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ପ୍ରାଚୀନ ଓ ମଧ୍ୟବର୍ତ୍ତୀକାଳିନ ଦୁନିଆର କେତେକ ଶ୍ରେଷ୍ଠ ଲାଇବ୍ରେରୀ ଭାରତରେ ଥିଲା । ନାଳନ୍ଦା, ତକ୍ଷଶିଳା, ରାଜଗୀର ଓ ଉଜ୍ଜୈନରେ ଥିବା ଆମର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ ପାଠାଗାରମାନ ଥିଲା । ବ୍ରିଟିଶ ଶାସନ କାଳରେ ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅବନତି ଘଟିଥିଲେ ମଧ୍ୟ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇ ନଥିଲା । ବେଦ, ଉପନିଷଦ, ପୁରାଣ, ଆୟୁର୍ବେଦ, ସଂସ୍କୃତ, ଜ୍ୟୋତିର୍ବିଜ୍ଞାନ, ଗଣିତ ଏବଂ ମେଡିସିନ ଉପରେ ଆମର ପ୍ରାଚୀନ ଗ୍ରନ୍ଥ ପୁସ୍ତକ ଜଗତକୁ ସମୃଦ୍ଧ କରିଥିଲା।"