ହାଇଦ୍ରାବାଦ:ବିଜେପି ସରକାରକୁ ନିର୍ବାଚନରେ ଟକ୍କର ଦେବା ପାଇଁ ତମାମ ବିରୋଧୀ ଦଳଙ୍କ ଦ୍ବାରା ଗଠିତ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ବ ଏବେ କଂଗ୍ରେସ ହାତରେ ରହିଛି । ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମେଣ୍ଟର ଅଧ୍ୟକ୍ଷ ହୋଇଛନ୍ତି । ହେଲେ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ କଂଗ୍ରେସକୁ ସିଧା ନାଲିଆଖି ଦେଖାଇଛନ୍ତି ମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ଦଳ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ରାଜ୍ୟର ସମସ୍ତ ସଂସଦୀୟ ଆସନରେ ଏକାକୀ ଲଢିବ ବୋଲି ଦିଦି କହିଥିଲେ । ଯାହାକୁ ନେଇ କଂଗ୍ରେସ ବ୍ୟାକଫୁଟରେ ଥିବା ପରି ଦେଖାଯାଇଛି । ମମତାଙ୍କୁ ବାଦ ଦେଇ ‘ଇଣ୍ଡିଆ’ ମେଣ୍ଟର ଅସ୍ଥିତ୍ବ କଳ୍ପନା କରିବା ସମ୍ଭବପର ନୁହେଁ ବୋଲି କଂଗ୍ରେସ କହିଛି । ମମତାଙ୍କ ନାଲିଆଖିରେ କଂଗ୍ରେସ ସିଧା ନରମ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ପରି ସ୍ଥିତି ଦେଖିବାକୁ ମିଳିଛି ।
କଂଗ୍ରେସ ଜାରି ରଖିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଏକାଧିକ ବରିଷ୍ଠ କଂଗ୍ରେସ ନେତା ବ୍ୟସ୍ତ ଅଛନ୍ତି । ମମତାଙ୍କ ଏପରି ସ୍ପଷ୍ଟ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ଚିନ୍ତା ବଢିଛି । ଆଜି ଆସାମରେ କଂଗ୍ରେସର ବରିଷ୍ଠ ନେତା ତଥା ଦଳର ଯୋଗାଯୋଗ ବ୍ୟାପାର ମୁଖ୍ୟ ଜୟରାମ ରମେଶ କହିଛନ୍ତି, ମମତାଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ସ୍ତମ୍ଭ । ମମତାଙ୍କୁ ବାଦ ଦେଇ ‘ଇଣ୍ଡିଆ’ ମେଣ୍ଟର ଅସ୍ଥିତ୍ବ ପରିକଳ୍ପନା କରିବା ଅସମ୍ଭବ । ତେବେ ପଶ୍ଚିମଙ୍ଗରେ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳ ଏକାଠି ଲଢିବେ ।
ଆଜି ଜୟରାମଙ୍କ ଏପରି ମନ୍ତବ୍ୟ କଂଗ୍ରେସର ଟିଏମସି ପ୍ରତି ନରମ ଆଭିମୁଖ୍ୟ ନେଇ ସଙ୍କେତ ମିଳିଛି । ମମତାଙ୍କ ଏପରି ସ୍ପଷ୍ଟ ଘୋଷଣା ପରେ କଂଗ୍ରେସ ଓ ମେଣ୍ଟ ସହଯୋଗୀ ମମତାଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାଇବାକୁ ପ୍ରୟାସ କରିବା ନେଇ ମଧ୍ୟ ସଙ୍କେତ ମିଳୁଛି । ତେବେ ମମତାଙ୍କ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ପଞ୍ଜାବରେ ଶାସନରେ ଥିବା ମଧ୍ୟ ଆମ ଆଦମୀ ପାର୍ଟି ମଧ୍ୟ ଲୋକସଭା ସିଟ କଂଗ୍ରେସ ସହ ବୁଝାମଣା କରିବ ନାହିଁ ବୋଲି ଘୋଷଣା କରିଛି । ସମସ୍ତ 13 ଆସନରେ ଆମ ଆଦମୀ ପାର୍ଟି ଏକାକୀ ପ୍ରାର୍ଥୀ ଦେବ ଓ ସମସ୍ତ ସଂସଦୀୟ ଆସନରେ ନିଶ୍ଚିତ ବିଜୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଭାଗବତ ମାନ କହିଥିଲେ ।