ଓଡିଶା

odisha

ETV Bharat / bharat

୧୯୭୫ ଏମରଜେନ୍ସି: କିଏ ଓ କାହିଁକି ଜାରି କରିଥିଲେ ଜରୁରୀକାଳୀନ ସ୍ଥିତି ? ସ୍ବାଧୀନ ଦେଶରେ ସ୍ବାଧୀନତାରୁ ବଞ୍ଚିତ ହୋଇଥିଲେ ଦେଶବାସୀ - 50TH ANNIVERSARY OF EMERGENCY

1975 Emergency in India by Indira Gandhi: ଜରୁରୀ ସ୍ଥିତିକୁ ପୂରିଲା 49 ବର୍ଷ । ପୂରା ଦେଶକୁ ଦୋହଲାଇ ଦେଇଥିଲା ଏହି ନିଷ୍ପତ୍ତି । ଇତିହାସ ପୃଷ୍ଠାରେ ବିବାଦୀୟ ହୋଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଜେଲ କୋଠରୀରେ ନଜର ଆସିଥିଲେ ତମାମ ବିରୋଧୀ ନେତା । ସ୍ବାଧୀନତା ପରେ ମଧ୍ୟ ୧୯୭୫ରୁ ୧୯୭୭ 2 ବର୍ଷ ଧରି ମୌଳିକ ଅଧିକାର ହରାଇଥିଲେ ଦେଶବାସୀ । କେମିତି ଥିଲା ଜରୁରୀକାଳୀନ ପରିସ୍ଥିତି, ଆସନ୍ତୁ ଜାଣିବା,

ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ
ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ (ETV Bharat Odisha)

By ETV Bharat Odisha Team

Published : Jun 25, 2024, 12:55 PM IST

ନୂଆଦିଲ୍ଲୀ:ସମୟ ଥିଲା 1975 ମସିହା ଆଜିର ଦିନ (ଜୁନ 25 ତାରିଖ) । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ହେଲେ ଏହି ସମ୍ବୋଧନ ପୂର୍ବପରି ସାଧାରଣ ସମ୍ବୋଧନ ନଥିଲା ବରଂ ସମଗ୍ର ଦେଶକୁ ଏହି ଘୋଷଣାର ସ୍ତବ୍ଦ କରିଦେଇଥିଲା । ସାରା ଦେଶରେ ଜରୁରୀ ସ୍ଥିତି ଜାରି କରାଯାଉଥିବା ଘୋଷଣା କରିଥିଲେ ଇନ୍ଦିରା । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶକୁ ଅବଗତ କରିଥିଲେ । ଇନ୍ଦିରାଙ୍କ ଏହି ଘୋଷଣା ପରେ ସାରା ଦେଶର ସାମାଜିକ, ରାଜନୈତିକ ସ୍ଥିତି ବଦଳିଯାଇଥିଲା ।

ଦେଶବାସୀଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଛଡ଼ାଇ ନେଇଥିଲା ଏହି ଘୋଷଣା । ସରକାର ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ବ୍ୟାନ କରାଯାଇ ଥିଲା । ମୁକ୍ତ ଅଭିବ୍ୟକ୍ତିର ଅଧିକାର ସମେତ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିଲେ ଦେଶବାସୀ । ଗଣମାଧ୍ୟମ ମଧ୍ୟ ସ୍ବାଧୀନତା ହରାଇଥିଲା । ଅନେକ ମୁଦ୍ରିତ ଗଣମାଧ୍ୟମ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଥିଲା । ସାରା ଦେଶରେ ଦେଖିବାକୁ ମିଳିଥିଲା ଅଦ୍ଭୁତପୂର୍ବ ଗିରଫଦାରୀ । ଦେଶ ତମାମ ବିରୋଧୀଙ୍କୁ ଗିରଫ କରି ଜେଲକୁ ପଠାଯାଇଥିଲା । ଜୟପ୍ରକାଶ ନାରାୟଣ, ରାଜ ନାରାୟଣ, ମୋର୍ରାଜୀ ଦେଶାଇ, ରାମ ମନୋହର ଲୋହିଆଙ୍କ ପରି ଶୀର୍ଷ ନେତା ଜେଲ କୋଠରୀରେ ବନ୍ଦ ହୋଇଯାଇଥିଲେ । 2ବର୍ଷ ପର୍ଯ୍ୟନ୍ତ ଦେଶରେ ଜାରି ରହିଥିଲା ଏହି ଜରୁରୀ ସ୍ଥିତି । ଲୋକତନ୍ତ୍ରର ଇତିହାସରେ ବିବାଦୀୟ ହୋଇପଡିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ସ୍ବାଧୀନ ଭାରତର ସେହି କଳା ଦିନକୁ ଆଜି 49ବର୍ଷ ପୂରିଛି ।

କାହିଁକି ଜନ୍ମ ନେଲା ଜରୁରୀ ସ୍ଥିତିର ଆବଶ୍ୟକତା:-

1966ରେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଇନ୍ଦିରା ଗାନ୍ଧୀ । 1969ରେ ଇନ୍ଦିରା ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିଲେ । ମାତ୍ର ତାଙ୍କ ସହ କଂଗ୍ରେସ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଇନ୍ଦିରାଙ୍କ ସମର୍ଥିତ ଗୋଷ୍ଠୀ କଂଗ୍ରେସ (ଆର) ଭାବରେ ନାମିତ ହେଲା । ଏହି ଗୋଷ୍ଠୀ ହିଁ 1971 ସାଧାରଣ ନିର୍ବାଚନରେ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଠନ କଲା । ଇନ୍ଦିରା ଗାନ୍ଧୀ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ନିଜ ପ୍ରତିଦ୍ବନ୍ଦ୍ବୀ ‘ସଂଯୁକ୍ତ ଦେଶ ପାର୍ଟି’ ପ୍ରାର୍ଥୀ ରାଜ ନାୟରାୟଣଙ୍କଠାରୁ ବିଜୟୀ ହୋଇଥିଲେ ।

କାର୍ଯ୍ୟାଳୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (ETV Bharat Odisha)

ଆହ୍ଲାବାଦ ହାଇକୋର୍ଟରୁ ଇନ୍ଦିରାଙ୍କୁ ଲାଗିଥିଲା ଝଟକା:-

ଇନ୍ଦିରା ନିର୍ବାଚନରେ ସରକାରୀ କଳ ଓ ଅର୍ଥ ଓ କ୍ଷମତାର ଦୂରୁପଯୋଗ କରିଥିବା ନେଇ ରାଜ ନାରାୟଣ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଯାହା ଇନ୍ଦିରାଙ୍କ ପାଇଁ ପରବର୍ତ୍ତୀ ସମୟରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନ ବିଜୟକୁ ଅସିଦ୍ଧ ଘୋଷଣା କରିବା 6 ବର୍ଷ ନିର୍ବାଚନ ଲଢିବା ଉପରେ ମଧ୍ୟ କଟକଣା ଜାରି କରିଥିଲେ । ଇନ୍ଦିରା କୌଣସି ନିର୍ବାଚିତ ପଦବୀରେ ରହିପାରିବେନି ବୋଲି କୋର୍ଟଙ୍କ ରାୟ ପୂରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହାକୁ ଗ୍ରହଣ କରିବା ପାଇଁ ଇନ୍ଦିରା କିମ୍ବା ତାଙ୍କ ନେତୃତ୍ବାଧୀନ କଂଗ୍ରେସ ଆଦୌ ପ୍ରସ୍ତୁତ ନଥିଲେ ।

ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ (ETV Bharat Odisha)

ଜେ.ପି ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ:

ଇନ୍ଦିରାଙ୍କ ଶାସନରେ ଦେଶର ବିଭିନ୍ନ କର୍ମଚାରୀ ବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଭିନ୍ନ ଦାବି ନେଇ ସେମାନେ ଦିଲ୍ଲୀ, ପାଟନା ଆଦି ସ୍ଥାନରେ ଆନ୍ଦୋଳନ କେନ୍ଦ୍ର ସରକାର କରୁଥିଲେ । ବିହାରରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ପ୍ରାଦେଶିକ ସରକାରକୁ ଭଙ୍ଗ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ବିଶେଷ ଭାବେ ଛାତ୍ର ଆନ୍ଦୋଳନ ବିହାରରେ ବ୍ୟାପକ ହେବାରେ ଲାଗିଥିଲା । 1974 ମାର୍ଚ୍ଚ 18 ତାରିଖରେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ବିଶିଷ୍ଟ ସମାଜବାଦୀ ନେତା ଜୟ ପ୍ରକାଶ ନାରାୟଣ (ଜେପି) । ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦିଲ୍ଲୀର କଂଗ୍ରେସ ସରକାର ଗାଦିକୁ ମଧ୍ୟ ଦୋହଲାଇବା ଆରମ୍ଭ କରିଥିଲା । ଜେ.ପି ସମଗ୍ର ଦେଶରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନ ଡାକରା ଦେଇଥିଲେ । ଏହା ଥିଲା ସ୍ବାଧୀନ ଭାରତର ସର୍ବବୃହତ୍ତ ଆନ୍ଦୋଳନ । ଯାହା ସିଧାସଳଖ ଇନ୍ଦିରାଙ୍କ ନେତୃତ୍ବ ପ୍ରତି ବିପଦ ସୃଷ୍ଟି କରିଥିଲା । ଗୋଟିଏ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଓ ଜେପିଙ୍କ ବ୍ୟାପକ ଆନ୍ଦୋଳନ କାରଣରୁ ଇନ୍ଦିରା ଭାରତୀୟ ସମ୍ବିଧାନର ଧାରା-352 ର ବ୍ୟବହାର କରିବାକୁ ଏକମାତ୍ର ବିକଳ୍ପ ଭାବେ ଚିନ୍ତା କଲେ ।

ଆନ୍ଦୋଳନକୁ ସମ୍ବୋଧିତ କରୁଛନ୍ତି ଜୟ ପ୍ରକାଶ ନାରାୟଣ (ETV Bharat Odisha)

ଏମରଜେନ୍ସି ପାଇଁ 1977 ରେ ପରାଜିତ ହୋଇଥିଲେ ଇନ୍ଦିରା

1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଜରୁରୀ କାଳୀନ ସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଏହା ଫଳରେ କେନ୍ଦ୍ର ସରକାର ଅଖଣ୍ଡ କ୍ଷମତାର ଅଧିକାରୀ ହେବା ପ୍ରାଦେଶିକ ସ୍ତରରେ ନିର୍ବାଚିତ ସରକାରଙ୍କର କ୍ଷମତା ଅତ୍ୟନ୍ତ ସଙ୍କୁଚିତ ହୋଇପଡିଥିଲା । ପ୍ରାଦେଶିକ ସରକାରମାନେ କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ ହୋଇଥିଲେ । ନାଗରିକଙ୍କ ମୌଳିକ ଅଧିକାର ମଧ୍ୟ ଶେଷ ହୋଇଯାଇଥିଲା । ଏହି ସ୍ଥିତି ପ୍ରାୟ 2ବର୍ଷ ଧରି ବଳବତ୍ତର ରହିଥିଲା । 1977ରେ ଜରୁରୀ ସ୍ଥିତି ପ୍ରତ୍ୟାହାର ହେବା ସହ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ହୋଇଥିଲା । ଏଥିରେ ଇନ୍ଦିରା ଓ କଂଗ୍ରେସ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲା । ମୋରାର୍ଜୀ ଦେଶାଇ ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଥିଲେ । ଜନତା ଦଳ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିଥିଲା ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ମୋରାର୍ଜୀ ଦେଶାଇ (ETV Bharat Odisha)

ଏମରଜେନ୍ସି ଭାରତୀୟ ଇତିହାସରେ ଏକ କଳା ଫର୍ଦ୍ଦ: ମୋଦି :-

ଗତକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଅଧିବେଶର ଉଦଘାଟନୀ କାର୍ଯ୍ୟ ଦିବସରେ ଅଂଶଗ୍ରହଣ କରିବା ପୂର୍ବର ଗଣମାଧ୍ୟମ ସମ୍ବୋଧନରେ ଏହି ଜରୁରୀ କାଳୀନ ଘୋଷଣା କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେେ । ଦେଶର ଗଣତନ୍ତ୍ରରେ ଏହି ଜରୁରୀ ସ୍ଥିତି ଘୋଷଣା ଏକ କଳା ଫର୍ଦ୍ଦ ବୋଲି କହିଥିଲେ । ଯେଉଁମାନେ ଭାରତର ଗଣତାନ୍ତ୍ରିକ ପରମ୍ପରାରେ ବିଶ୍ବାସ ରଖନ୍ତି, ସେମାନଙ୍କ ଏହି ଦିନ ଅଭୁଲା । ଦେଶର ଇତିହାସରେ ଏକ କଳାଫର୍ଦ୍ଦ ବୋଲି କହିଥିଲେ ମୋଦି । ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବହୁବାର କଂଗ୍ରେସକୁ ଟାର୍ଗେଟ କରିଆସିଛି । ଏହି ପୂରା ପ୍ରସଙ୍ଗ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବିବାଦ ମଧ୍ୟକୁ ଠେଲିଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details