ଡେରାଡୁନ: ବିଧାନସଭାରେ ପାରିତ ହୋଇସାରିଥିବା ଏକକ ନାଗରିକ ସଂହିତା (UCC)କୁ ଖୁବଶୀଘ୍ର ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର । ଗୃହରେ ପାରିତ ହେବା ପରେ ଏହି ସମ୍ପର୍କିତ ପ୍ରକ୍ରିୟା ଏବେ ଜାରି ରହିଛି । ଏକ ଉଚ୍ଚସ୍ତରୀୟ କମିଟି ଏହାର କାର୍ଯ୍ୟକାରିତାର ସମସ୍ତ ଦିଗକୁ ନେଇ ଚୂଡାନ୍ତ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଅଧିନିୟମକୁ ପାରିତ କରିବାରେ ସଫଳ ହୋଇଛନ୍ତି ।
ଏହି ପ୍ରସଙ୍ଗରେ ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, "ଆମେ ଉତ୍ତରାଖଣ୍ଡବାସୀଙ୍କ ନିକଟରେ ଏହାକୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ରଖିଥିଲୁ । 2022ରେ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ବିଜେପି ଏହାକୁ ନିର୍ବାଚନୀ ଇସ୍ତାହର ମାଧ୍ୟମରେ ପ୍ରକାଶ କରିଥିଲା । ଆମେ ସରକାରକୁ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ କରିଥିଲୁ ଓ ଏଥିରେ ସଫଳ ମଧ୍ୟ ହୋଇଛୁ । ଏହା ବିଧାନସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ପାଇସାରିଛି । ରାଜ୍ୟରେ ଖୁବଶୀଘ୍ର ଏହାର କାର୍ଯ୍ୟକାରିତା ମଧ୍ୟ ଦେଖିବାକୁ ମିଳିବ । ଏହା ରାଜ୍ୟବାସୀଙ୍କ ପାଇଁ ଫଳପ୍ରଦ ନିଷ୍ପତ୍ତି ହେବାକୁ ଯାଉଛି । ବିବାହ ପଞ୍ଜୀକରଣ ଓ ସେହି ସମ୍ପର୍କିତ ପ୍ରକ୍ରିୟା ଅଧିକ ସରଳୀକରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ ଅଫିସ ଯିବା ପରିବର୍ତ୍ତେ ଗୋଟିଏ ପ୍ରକ୍ରିୟାରେ ସମସ୍ତ ସୁବିଧା ମିଳିପାରିବ ।"