ରାଞ୍ଚି:ଝାଡଖଣ୍ଡ ଚାଇବାସାରେ ଦୁଇ ଓଡ଼ିଆ ଯୁବକ ନିଖୋଜ । ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଯୁବକ ହେଲେ ମୟୂରଭଞ୍ଜ ରାଇରଙ୍ଗପୁର ଶେଖ ସାହିଦ ଅଲ୍ଲି, ଶେଖ ନଜିର ବୋଲି ଜଣାପଡିଛି । ଉଭୟଙ୍କ ପତ୍ତା ମିଳୁନଥିବା ବେଳେ ଏମାନଙ୍କୁ ଗାଁଲୋକେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସେପଟେ ପୋଲିସ ଘଟଣାର ତନାଘନା ଜାରି ରହିଛି ।
କଣ ପୂରା ମାମଲା:
ରାଇରଙ୍ଗପୁରର ଶେଖ ସାହିଦ ଅଲ୍ଲି, ଶେଖ ନଜିର ଅନ୍ୟ କିଛି ସାଥୀଙ୍କ ସହ ଝାଡଖଣ୍ଡର ଚାଇବାସାର ଗୋଇଲକେରା ଅଞ୍ଚଳକୁ ଆସିଥିଲେ । ଦୁଇ ଜଣ ଗତ ମଙ୍ଗଳବାରରୁ ନିଖୋଜ ଅଛନ୍ତି । ଆଶଙ୍କା କରାଯାଉଛି କି, ଉକ୍ତ ଅଞ୍ଚଳଟି ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଗାଁଲୋକେ ସନ୍ଦେହରେ ସେମାନଙ୍କୁ ପିଟି ପିଟି ହତ୍ୟା କରିଥାଇପାରନ୍ତି । କିନ୍ତୁ ଏ ସମ୍ପର୍କରେ ପୋଲିସର କୌଣସି ସଷ୍ଟୀକରଣ ଆସିନାହିଁ । ଉଭୟଙ୍କ ପତ୍ତା ମିଳୁନଥିବା ବେଳେ ଏମାନଙ୍କୁ ଖୋଜିବାରେ ଲାଗି ପଡିଛି ସ୍ଥାନୀୟ ପୋଲିସ । ଏନେଇ ଦୁହିଁଙ୍କ ପରିବାରଲୋକେ ମୟୂରଭଞ୍ଜ ଏସପି ଓ ଚାଇବାସା ଏସପିଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଉଭୟଙ୍କୁ ଖୋଜି ଆଣିବାକୁ ପରିବାର ଲୋକେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଖୋଜାଖୋଜି ଜାରି ରହିଛି:
ଏନେଇ ଝାଡ଼ଖଣ୍ଡ ଡିଜିପି ଅନୁରାଗ ଗୁପ୍ତାକହିଛନ୍ତି, ‘ଓଡିଶାର 4ରୁ 5 ଜଣ ଯୁବକ ଚାଇବାସାର ଗୁଦଡି ଅଞ୍ଚଳକୁ ଆସିଥିଲେ । ସେମାନଙ୍କ ଭିତରୁ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ଉକ୍ତ ଅଞ୍ଚଳଟି ନକ୍ସଲ ପ୍ରଭାବିତ ଅଞ୍ଚଳ ଅଟେ । ସନ୍ଦେହ କରାଯାଉଛି କି, ସେମାନଙ୍କୁ ନକ୍ସଲ ସନ୍ଦେହ କରି ଗାଁଲୋକେ ହତ୍ୟା କରିଥାଇପାରନ୍ତି । କିନ୍ତୁ ଏହାର ସ୍ପଷ୍ଟ ସୂଚନା ଆସିପାରିନାହିଁ । ଉକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣା ସମ୍ପର୍କରେ ସବିଶେଷ ମିଳିବା ପରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ।’