ରାୟପୁର:ଛତିଶଗଡରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ଆଉ ଏକ ସଫଳତା ମିଳିଛି । ଆଜି ସର୍ବାଧିକ ନକ୍ସଲପ୍ରବଣ ଦାନ୍ତେଓ୍ବାଡାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ହାର୍ଡକୋର ନକ୍ସଲଙ୍କୁ ନିପାତ କରିଛି ସୁରକ୍ଷାବଳ । ଦୁଇ ନକ୍ସଲଙ୍କ ମୃତଦେହ ସହ ବିପୁଳ ଗୁଳିଗୋଳା ଓ ଅନ୍ୟ ନକ୍ସଲ ସାମଗ୍ରୀ ମଧ୍ୟ ସୁରକ୍ଷାବଳ ଜବତ କରିଛି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଅନ୍ୟ କିଛି ନକ୍ସଲ ଜଙ୍ଗଲ ମଧ୍ୟରୁ ଖସି ପଳାଇଥିବା ସନ୍ଦେହରେ ଏବେ ମଧ୍ୟ ଜଙ୍ଗଲ ଓ ସ୍ଥାନୀୟ ଗ୍ରାମାଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସ୍ଥାନୀୟ ଡିଏସପି କହିଛନ୍ତି, ଦାନ୍ତେଓ୍ବାଡା-ବିଜାପୁର ସୀମାନ୍ତ ଏରିଆରେ ନକ୍ସଲ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ପୂର୍ବାହ୍ନରୁ କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ବସ୍ତର ଫାଇଟର ଓ ପୋଲିସ ଯବାନ ମିଳିତ ଅପରେସନରେ ବାହାରିଥିଲେ । ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା । କିଛି ଘଣ୍ଟାର ଗୁଳି ବିନିମୟରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ନିକଟବର୍ତ୍ତୀ ଏରିଆରୁ ଜଣେ ମହିଳା ନକ୍ସଲଙ୍କ ସମେତ 2 ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରାଯିବା ପ୍ରକ୍ରିୟା ଜାରି ରହିଛି । ନିକଟବର୍ତ୍ତୀ ଜଙ୍ଗଲରେ ଆଉ ଅଧିକ ନକ୍ସଲ କ୍ୟାମ୍ପ ଥିବା ସନ୍ଦେହରେ ଏରିଆକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଘଟଣାସ୍ଥଳରେ ଅଧିକ ସଂଖ୍ୟକ ଫୋର୍ସ ମଧ୍ଯ ପହଞ୍ଚିଛନ୍ତି ।