ବେଙ୍ଗାଲୁରୁ:କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ନାଁରେ ଅଶ୍ଳୀଳ ଭିଡିଓ ମାମଲା । ପ୍ରଜ୍ଜ୍ବଳଙ୍କ ଦେଶ ଛାଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର । ସେ କହିଛନ୍ତି, "ପ୍ରଜ୍ଜ୍ବଳଙ୍କୁ ଖୁବଶୀଘ୍ର ବିଦେଶରୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛି ଏସଆଇଟି ।"ଏହାସହ ପ୍ରଜ୍ଜ୍ବଳଙ୍କ ଗିରଫଦାରୀ ପ୍ରସଙ୍ଗରେ ଗୃହମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଅଚାନକ କାହାରିକୁ ଗିରଫ କରାଯାଏ ନାହିଁ । ଆବଶ୍ୟକୀୟ ସାକ୍ଷ୍ୟ ଓ ପ୍ରମାଣ ଆଧାର ଜରୁରୀ ।
ସେପଟେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଜ୍ବଳ ରେଭାନ୍ନା । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ (X)ରେ ନିଜ ପକ୍ଷ ରଖି ସେ ଲେଖିଛନ୍ତି, "ଜେରା ପାଇଁ ବର୍ତ୍ତମାନ ମୁଁ ଏବେ ବେଙ୍ଗାଲୁରୁରେ ଉପସ୍ଥିତ ନାହିଁ, ତେଣୁ ମୁଁ ମୋର ଓକିଲଙ୍କ ଜରିଆରେ ସିଆଇଡି ବେଙ୍ଗାଲୁରୁ ସହିତ ଯୋଗାଯୋଗ କରୁଛି । ସତ ଶୀଘ୍ର ସାମ୍ନାକୁ ଆସିବ ।" ସୂଚନା ଅନୁସାରେ, ଏହା ପୂର୍ବରୁ SIT ମଙ୍ଗଳବାର ଜେଡିଏସ ବିଧାୟକ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ନୋଟିସ ଜାରି କରିଥିଲା । ଉଭୟଙ୍କୁ ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି । ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ।