ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଯାଇଛି । ଆସ୍ଥା ଓ ସଂସ୍କୃତିର ମହୋତ୍ସବରେ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଦେଶୀ ମଧ୍ୟ ସାମିଲ ହୋଇଛନ୍ତି । ଆମେରିକା ବ୍ୟବସାୟୀ ତଥା ଆପଲର ସହ-ପ୍ରତିଷ୍ଠାତା ସ୍ୱଗର୍ତଃ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲ ଜବ୍ସ ମଧ୍ୟ ମହାକୁମ୍ଭ ମହୋତ୍ସବରେ ସାମିଲ ହୋଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ମହାକୁମ୍ଭରେ ସାମିଲ ହେଲେ ଆପଲ ସହ-ପ୍ରତିଷ୍ଠାତାଙ୍କ ପତ୍ନୀ:
ସ୍ୱାମୀ ଷ୍ଟିଭ ଜବ୍ସଙ୍କ ପରି ଲରେନ୍ସ ପାଓ୍ବେଲଙ୍କ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ବିଶେଷ ଆସ୍ଥା ରହିଛି । ଷ୍ଟିଭ ଜବ୍ସ ବାବା ନିମ କରୋଲିଙ୍କୁ ନିଜ ଗୁରୁ ମାନିଥିଲେ । ସେ ଅନେକ ଥର ଗୁରୁ ନିମ କରୋଲିଙ୍କ ଧାମ ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସେହିଠାରେ ବାବା ନିମ କରୋଲି ଷ୍ଟିଭଙ୍କୁ ଆଶୀର୍ବାଦ ସ୍ୱରୂପ ଏକ କଟା ସେଓ ଦେଇଥିଲେ । ପରବର୍ତ୍ତୀ ସମୟରେ କଟା ସେଓ ଆକାରକୁ ହିଁ ଷ୍ଟିଭ ନିଜ କମ୍ପାନୀର ଲୋଗୋ ଭାବେ ବ୍ୟବହାର କରିଥିଲେ ।
୧୦ ଦିନ ପ୍ରୟାଗରାଜରେ ରହିବେ ଲରେନ୍ ପାଓ୍ବେଲ:
ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲଙ୍କ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ଅଗାଢ ଆସ୍ଥା ରହିଛି । ସେ ମଧ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି । ପ୍ରୟାଗରାଜ ମହାକୁମ୍ଭରେ ସେ ୧୦ ଦିନ ପର୍ଯ୍ୟନ୍ତ କଳ୍ପବାସ କରିବେ । ତାଙ୍କ ଗୁରୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ତାଙ୍କୁ ଭାରତୀୟ ଆଧ୍ୟାତ୍ମିକତା ଓ ସନାତନ ସଂସ୍କୃତିକୁ ଆହୁରୀ ଗଭୀର ଭାବେ ଜାଣିବାର ସୁଯୋଗ ମିଳିବ । ଲରେନ୍ ପାଓ୍ବେଲ ମହାକୁମ୍ଭ ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ନିକଟତର ହୋଇପାରିବେ । ୧୦ ଦିନ ପର୍ଯ୍ୟନ୍ତ ଶିବିରରେ ରହିବା ସହ ସେ ଅନେକ ଧାର୍ମିକ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରିବେ । ଏହା ବିଶ୍ୱକୁ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ସହ ଯୋଡିବାକୁ ଏକ ସରକାତ୍ମକ ବାର୍ତ୍ତା ଦେଉଛି ।
ଲରେନ୍ ପାଓ୍ବେଲ କିଏ:
ଆପଲର ସହ-ପ୍ରତିଷ୍ଠାତା ସ୍ୱଗର୍ତଃ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲ, କେବଳ ତାଙ୍କ ଦିବ୍ୟଙ୍ଗତ ସ୍ୱାମୀଙ୍କ ପାଇଁ ପରିଚିତ ନାହାନ୍ତି । ବରଂ ତାଙ୍କର ନିଜର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେ ଜଣେ ସଫଳ ଉଦ୍ୟୋଗୀ, ଗରୀବଙ୍କୁ ସାହାଯ୍ୟ କରିବାରେ ମଧ୍ୟ ବେଶ ନାଁ ରହିଛି । ସମାଜ ଓ ପରିବେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ପ୍ରସିଦ୍ଧ ଫୋବସ୍ ମାଗାଜିନ ଅନୁଯାୟୀ, ୨୦୨୩ ମସିହାରେ ବିଶ୍ୱର ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରେ ତାଙ୍କ ସ୍ଥାନ ୨୫ ଥିଲା ।
ଏହାମଧ୍ୟ ପଢନ୍ତୁ... ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ ମହାକୁମ୍ଭ 2025: ଓଡ଼ିଶାରୁ ପ୍ରୟାଗରାଜ ଗଡୁଛି ସ୍ୱତନ୍ତ୍ର ଟ୍ରେନ, ନଜର ପକାନ୍ତୁ |
୧୨ ବର୍ଷ ପରେ ହେଉଛି ମହାକୁମ୍ଭ ମହୋତ୍ସବ:
ସୂଚନାଯୋଗ୍ୟ, ପ୍ରତ୍ୟେକ ୧୨ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମହାକୁମ୍ଭ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ୪୦କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସାମିଲ ହେବାର ଆଶା ରହିଛି ।ଏହି ସମୟରେ ପବିତ୍ର ବୁଡ ପକାଇବା ପାଇଁ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଛି । ୨୬ ଫେବ୍ରୁଆରୀ ଦିନ ମହାକୁମ୍ଭ ଶେଷ ହେବାକୁ ଯାଉଛି । ଅନ୍ୟପଟେ ୧୪୪ ବର୍ଷରେ ଥରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କରାଯାଇଥାଏ । ଗତ ଥର ୨୦୧୯ରେ ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ଆୟୋଜିତ ହୋଇଥିଲା । ଚଳିତଥର ୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜିତ ହେଉଛି । ଏହା ଆଧ୍ୟାତ୍ମିକତା ଦୃଷ୍ଟିରୁ ଏକ ମାହାର୍ଘ୍ୟ ବେଳା । ଏହା ଶତାବ୍ଦୀର ପ୍ରଥମ ପୂର୍ଣ୍ଣ ମହାକୁମ୍ଭ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ