ନୂଆଦିଲ୍ଲୀ: ଏନସିଆର ସମେତ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ଭୋର 5 ଟା 36 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (X)ରେ ପୋଷ୍ଟ କରି ସମସ୍ତଙ୍କୁ ଭୟଭୀତ ନହୋଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଭୂକମ୍ପରେ ଥରିଲା ଦିଲ୍ଲୀ:
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଜଣେ ଦୋକାନୀ କହିଛନ୍ତି, "ସବୁ କିଛି ଦୋହଲିଲା ଭଳି ହଠାତ୍ ଅନୁଭବ ହେଲା । ଦୋକାନକୁ ଆସିଥିବା ଗ୍ରାହକମାନେ ଭୟଭୀତ ହୋଇପଡିଲେ।"ସେହିପରି ଟ୍ରେନ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ କହିବା କଥା, "ଆମକୁ ଏମିତି ଲାଗିଲା ଯେମିତି ଭୂମିତଳେ କୌଣସି ଅଣ୍ଡରଗ୍ରାଉଣ୍ଡ ଟ୍ରେନ ଚାଲୁଛି । ସବୁ କିଛି ଭୂକମ୍ପ ପ୍ରଭାବରେ ଦୋହଲି ଯାଇଥିଲା । ସମସ୍ତେ ଭୟଭୀତ ହୋଇପଡିଥିଲେ ।" ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିଲା ।
କହିରଖୁଛୁ, ଶନିବାର ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳ ଚକଟାରେ 18 ଜଣଙ୍କ ଜୀବନ ଯାଇଛି । ଏହି ଭୟ ଲୋକଙ୍କ ମନରୁ ନଲିଭୁଣୁ ଆଜି ଦିଲ୍ଲୀ ଏନସିଆରରେ ଶକ୍ତ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 4.0 ରହିଥିବାବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି ।