କୋଲକାତା:୫୫ ଦିନ ଧରି ଫେରାର୍ ପରେ ଆଜି ସନ୍ଦେଶଖାଲି ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହନକୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । ଏହାରି ସହିତ ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଧରି ଚାଲିଥିବା ମହିଳାଙ୍କ ଆନ୍ଦୋଳନରେ ବ୍ରେକ ଲାଗିଛି । କୁହାଯାଉଛି, ଏବେ ଅଭିଯୁକ୍ତ ଶାହାଜାହନକୁ ଇଡି କିମ୍ବା ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ହେପାଜତକୁ ନେଇପାରେ । ତେବେ ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ, ସେନେଇ ସମସ୍ତଙ୍କର ନଜର ରହିଛି । ବିଗତ ୫୫ ଦିନ ହେଲା ସନ୍ଦେଶଖାଲି ମାମଲା କେନ୍ଦ୍ର ସରକାର, କେନ୍ଦ୍ରୀୟ ଏଜେନ୍ସି, କୋଲକାତା ହାଇକୋର୍ଟ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦର ପ୍ରମୁଖ କାରଣ ହୋଇରହିଥିଲା । ଏମିତିରେ ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଜଣେ ଜିଲ୍ଲା ପରିଷଦ ମୁଖ୍ୟ (ଶାହାଜାହନ) କେମିତି ଗୋଟିଏ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଲା ଏବଂ ଏଥିପାଇଁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା ।
ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ୪୨ ବର୍ଷୀୟ ଟିଏମସି ନେତା ଶାହାଜାହନ ଗତ ୨୦ ବର୍ଷ ହେଲା କ୍ଷମତା ସହ ଜଡ଼ିତ ରହିଛି । ୨୦୦୬ରେ ସେ ପ୍ରଥମ ଥର ଆଇନ ଫାଶରେ ଛନ୍ଦି ହୋଇଥିଲା । ପ୍ରଥମ ଥର ଯେତେବେଳେ ତାକୁ ଥାନାକୁ ଡାକରା ଯାଇଥିଲା, ସେତେବେଳେ ତା'ର ବୟସ ମାତ୍ର ୨୦ ବର୍ଷ ଥିଲା ଏବଂ ସେ ସନ୍ଦେଶଖାଲି ମାଛ ମାର୍କେଟରେ ଜଣେ ଏଜେଣ୍ଟ ଭାବେ କାମ କରୁଥିଲା । ତଥାପି ଥାନାରେ ପହଞ୍ଚିବା ପରେ ତା' ମୁହଁରେ ତିଳେ ମାତ୍ର ଭୟ ନଥିଲା । ତତ୍କାଳୀନ ସତ୍ତାସୀନ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ସ୍ଥାନୀୟ ପ୍ରଭାବଶାଳୀ ପଦାଧିକାରୀ ସହ ଶାହାଜାହନର ଭଲ ସମ୍ପର୍କ ଥିବାରୁ ମାତ୍ର ଅଧ ଘଣ୍ଟା ପରେ ତାକୁ ପୋଲିସ ଛାଡି ଦେଇଥିଲା । ଏହାର କିଛି ଦିନ ପରେ ଉକ୍ତ ଥାନାର ପ୍ରଭାରୀଙ୍କ ବଦଳି ହୋଇଯାଇଥିଲା ।
ଏହାପରେ ଶାହାଜାହନର କ୍ରାଇମ ରେକର୍ଡ ବଢି ବଢି ଚାଲିଥିଲା । ୨୦୧୧ରେ ପ୍ରଥମ ଥର ଟିଏମସି କ୍ଷମତାରେ ଆସିବାର ଗୋଟିଏ ବର୍ଷ ପୂର୍ବରୁ ଶାହାଜାହନ ଦଳରେ ସାମିଲ ହୋଇଥିଲା । ଇଡି ସୂତ୍ର ଓ ମିଡିଆ ରିପୋର୍ଟ ମୁତାବକ, ଗତ କିଛି ବର୍ଷ ଭିତରେ ଅଭିଯୁକ୍ତ ୨ କୋଟିରୁ ଅଧିକ ବ୍ୟାଙ୍କ ଜମା ରାଶି, ୧୭ଟି କାର ଏବଂ ୪୦ ବିଘେରୁ ଅଧିକ ଜମିର ମାଲିକ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ସରିଲା ଲୁଚକାଳି ଖେଳ, ସନ୍ଦେଶଖାଲି ହିଂସା ମାଷ୍ଟରମାଇଣ୍ଡ ଶାହାଜାହାନ ଶେଖ ଗିରଫ