ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ)ର ରାଜ୍ୟସଭା ସାଂସଦ ତଥା ପୂର୍ବତନ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ସ୍ବାତୀ ନିଜେ ପୋଲିସକୁ କଲ କରି ଏହି ଅଭିଯୋଗ କରିଛନ୍ତି । ସେ କେଜ୍ରିଓ୍ବାଲଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ ତାଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଫୋନ କଲ ପାଇବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ମାତ୍ର ସ୍ବାତୀ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରିନଥିବା ଜଣାପଡିଛି ।
ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ପୂର୍ବାହ୍ନ 9ଟା 34 ମିନିଟରେ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନରୁ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଏହି ଅଭିଯୋଗ କରାଯାଇଥିଲା । ଅଭିଯୋଗକାରୀ ମହିଳା ନିଜକୁ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ବୋଲି କହିଥିଲେ । ତାଙ୍କୁ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ସ୍ବାତୀଙ୍କର ପ୍ରତିକ୍ରିୟା ଗଣମାଧ୍ୟମର ହସ୍ତଗତ ହୋଇନି । ପୋଲିସ ମଧ୍ୟ କୌଣସି ମାମଲା ପଞ୍ଜିକୃତ ହୋଇଥିବା ସ୍ପଷ୍ଟ କରିନି ।