ନୂଆଦିଲ୍ଲୀ: ଷ୍ଟେଟବ୍ୟାଙ୍କକୁପୁଣି ସୁପ୍ରିମ ଝଟକା । ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସୁପ୍ରିମକୋର୍ଟ ତରଫରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଆଜି(ସୋମବାର) କୋର୍ଟ SBIକୁ କଡା ଭର୍ତ୍ସନା କରିଛନ୍ତି । ଆସନ୍ତା ମାର୍ଚ୍ଚ 21 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ ପଡିବ । ଏହାସହିତ ଏକ ଆଫିଡେଭିଟ୍ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି । ତେବେ ବଣ୍ଡ ନମ୍ବର ସାମ୍ନାକୁ ଆସିଲେ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହେବ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏସବିଆଇ ପ୍ରଦାନ କରିନଥିବା ବେଳେ ସାର୍ବଜନୀନ କରିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ।
ଏନେଇ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି, " ଏହି ପ୍ରସଙ୍ଗରେ କୌଣସି ତଥ୍ୟ ଲୁଚାଇବା ଉଚିତ ନୁହେଁ । ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ହେବ ।" ତେବେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସମ୍ପୁର୍ଣ୍ଣ ତଥ୍ୟ କାହିଁକି ପ୍ରଦାନ କରାଯାଇ ନାହିଁ ବୋଲି ଏସବିଆଇକୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଶୁଣାଣି ସମୟରେ ସ୍ପଷ୍ଟ କରାଯାଇଥିଲା ଯେ, ସିଲେକ୍ଟିଭ ନୁହେଁ, ସମସ୍ତ ବିବରଣୀ ପ୍ରକାଶ କରାଯିବା ଉଚିତ । କିଛି ରଚନାତ୍ମକ ହେବା ଉଚିତ ନୁହେଁ । କୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରନ୍ତୁ ନାହିଁ । ସମସ୍ତ ତଥ୍ୟ ଖୁଲାସା କରିବାର ଆବଶ୍ୟକତା ରହିଛି । ଏସବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ବାଧ୍ୟ ଅଟନ୍ତି ।"
ବଣ୍ଡ ନମ୍ବର ଦେଇନଥିଲା SBI :ଏସବିଆଇ ପକ୍ଷରୁ ଓକିଲ ହରୀଶ ସାଲଭେ କହିଛନ୍ତି, "ଆମେ ଯେଉଁଭଳି ଭାବେ ବୁଝିଥିଲୁ ସେଭଳି ଭାବେ ଆଦେଶର ପାଳନ କରିଛୁ । ଆମେ କେବଳ ବ୍ୟବସ୍ଥିତ ଭାବେ ସମ୍ପୂର୍ଣ୍ଣ ସୂଚନା ସେୟାର କରିବା ପାଇଁ ସମୟ ମାଗିଥିଲୁ । "