ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୁ ନେଇ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏସସି(SC) ଓ ଏସଟି(ST) କୋଟାରେ ଉପବର୍ଗକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ ଖଣ୍ଡପୀଠ । 2004 ମସିହାର ରାୟକୁ ବଦଳାଇ ପଛୁଆବର୍ଗଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
'ସମସ୍ତ ଅନୁସୂଚିତ ଜାତି ଏବଂ ଜନଜାତି ସମାନ ନୁହଁନ୍ତି':ରାୟ ଶୁଣାଇବା ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆମେ ଚିନ୍ନାୟାଙ୍କ ନିଷ୍ପତ୍ତିକୁ ଆଗ୍ରହ୍ୟ କରୁଛୁ । ଏଥିରେ କୁହାଯାଇଛି ଯେ ଅନୁସୂଚିତ ଜାତିର କୌଣସି 'ଉପ-ବର୍ଗୀକରଣ' ସମ୍ବିଧାନର ଧାରା 14 (ସମାନତା ଅଧିକାର)ର ଉଲ୍ଲଂଘନ ଅଟେ । କିନ୍ତୁ ଉପ-ବର୍ଗ ଧାରା 14କୁ ଉଲ୍ଲଂଘନ କରୁନାହିଁ । କାହିଁକିନା ଉପ-ବର୍ଗଗୁଡିକ ତାଲିକାରୁ ବାଦ ପଡିନାହିଁ । ଖଣ୍ଡପୀଠ 6:1 ବହୁମତରେ କହିଛନ୍ତି, ସଂରକ୍ଷଣକୁ ନେଇ ଆମେ ବିଚାର କରିଛୁ ଯେ ଅନୁସୂଚିତ ଜାତିର ଉପ-ବର୍ଗୀକରଣ ଯଥାର୍ଥ ଅଟେ । ସମସ୍ତ ଅନୁସୂଚିତ ଜାତି ଏବଂ ଜନଜାତି ସମାନ ନୁହଁନ୍ତି, ସଂରକ୍ଷଣରେ ଜାତି ଆଧାରରେ ଭାଗିଦାରୀ ସମ୍ଭବ ଅଟେ ।
ଏହା ମଧ୍ୟ ପଢନ୍ତୁ-ସୁପ୍ରିମକୋର୍ଟଙ୍କ ବଡ ରାୟ: ଖଣିଜ ସମ୍ପଦ ଉପରେ ଟିକସ୍ ଆଦାୟ କରିପାରିବେ ରାଜ୍ୟ ସରକାର, ନିଷ୍ପତ୍ତିରେ ଓଡିଶାକୁ ମିଳିବ ଲାଭ, ପୂର୍ବରୁ କୋଇଲା ରୟାଲ୍ଟି ଦାବି ହୋଇଥିଲା - Mineral Royalty case in SC
CJI କହିଛନ୍ତି, 'ସମ୍ବିଧାନର ଧାରା 14 ଯେ କୌଣସି ଶ୍ରେଣୀର ଉପ-ବର୍ଗୀକରଣକୁ ଅନୁମତି ଦେଇଥାଏ । କୋର୍ଟ ଉପ ବର୍ଗୀକରଣର ବୈଧତାକୁ ପରୀକ୍ଷଣ କରିବା ସମୟରେ ଏହା ନିର୍ଣ୍ଣୟ କରିବା ଆବଶ୍ୟକ ବର୍ଗ ସମାନ ଅଟେ କି ନାହିଁ । ଏଥିସହ ଉପବର୍ଗୀକରଣ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଏକ ଏକୀକୃତ ବର୍ଗ ମଧ୍ୟ ଅଛି । 7 ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ବି.ଆର ଗଭାଇ, ବିକ୍ରମ ନାଥ, ବେଲା ଏମ ତ୍ରିବେଦୀ, ପଙ୍କଜ ମିଥାଲ, ମନୋଜ ମିଶ୍ର ଏବଂ ସତୀଶ ଚନ୍ଦ୍ର ମିଶ୍ର ରହିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର 2010 ନିଷ୍ପତ୍ତି ବିରୋଧରେ ପଞ୍ଜାବ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ଏକାଧିକ ଆବେଦନ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜଷ୍ଟିସ ତ୍ରିବେଦୀ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଧାରା 15 ଏବଂ 16ରେ ଏପରି କିଛି ନାହିଁ ଯାହା ଦ୍ବାରା ରାଜ୍ୟକୁ କୌଣସି ଜାତିକୁ ଉପ-ବର୍ଗୀକରଣ କରିବାରେ ରୋକ ଲଗାଇପାରିବ । ପଞ୍ଜାବ କାନୁନର ଧାରା 4 (5) କୁ ଅସିମ୍ବିଧାନିକ ଦର୍ଶାଇ ହାଇକୋର୍ଟ ରଦ୍ଦ କରିଦେଇଥିଲେ । ଯାହା 'ବାଲ୍ମିକୀ' ଏବଂ 'ମଜହବୀ ଶିଖ୍' ଜାତିର ଅନୁସୂଚିତ ଜାତି ସଂରକ୍ଷଣର 50 ପ୍ରତିଶତ କୋଟା ପ୍ରଦାନ କରାଯାଇଥିଲା । 2004ରେ ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ଏସଟି ଏସସି କୋଟା ମଧ୍ୟରେ ଉପବର୍ଗୀକରଣ କରାଯାଇ ପାରିବ ନାହିଁ, ରାଜ୍ୟ ମାନଙ୍କର ଏଥି ପାଇଁ ଅଧିକାର ନାହିଁ ବୋଲି ରାୟ ଶୁଣାଇଥିଲେ ।