ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । 23 ଦିନର ମହଲତ ଦେଲେ ସୁପ୍ରିମକୋର୍ଟ । ଆସନ୍ତା ଜୁନ 1 ତାରିଖ ଯାଏଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ବେଳେ ଜୁନ 2 ତାରିଖରେ କେଜ୍ରିୱାଲ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ପ୍ରକାଶଥାଉକି, ମାର୍ଚ୍ଚ 21 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ହେଁ ସର୍ବଦା ଖାରଜ କରାଯାଉଥିଲା । ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ମେ 7 ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରାଯାଇ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।
ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦୂତ୍ତଙ୍କ ଦ୍ବାରା ଗଠିତ ବେଞ୍ଚ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ମେ 7 ତାରିଖରେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା । ଇଡି ଏବଂ କେଜ୍ରିଓ୍ବାଲଙ୍କ ଓକିଲଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା । କିନ୍ତୁ କୌଣସି ନିଷ୍ପତ୍ତି ହୋଇନଥିଲା । କିନ୍ତୁ ସେହି ସମୟରେ କୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଲୋକସଭା ନିର୍ବାଚନ ପାଇଁ ଜାମିନ ଦିଆଯିବ ବୋଲି କହିଥିଲେ । ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ମୁଖ୍ୟମନ୍ତ୍ରୀ ଭାବେ କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଥିଲେ । ତେବେ ସୁପ୍ରିମକୋର୍ଟ 10 ତାରିଖରେ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଥିଲା । ତେବେ ରାୟ ସଂରକ୍ଷିତ କରାଯାଇଥିବା ବେଳେ ଆଜି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।