ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ରହି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲରୁ ସରକାର ଚଳାଉଛନ୍ତି । ପତ୍ନୀ ସୁନୀତା ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କ ସହିତ ଯୋଡି ହେଉଛନ୍ତି । ତେବେ ଆଜି ସୁନିତା କ୍ରେଜିୱାଲଙ୍କ ଗିରଫଦାରୀ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯାହାର ନାଁ ରହିଛି କେଜ୍ରିୱାଲଙ୍କୁ ଆଶୀର୍ବାଦ । ଏଥିସହ ଏକ ହ୍ବାଟ୍ସଆପ ନମ୍ବର ମଧ୍ୟ ଜାରି କରିଛନ୍ତି । କେଜ୍ରିଓ୍ବାଲଙ୍କୁ ଆଶୀର୍ବାଦ ସହ ବାର୍ତ୍ତା ଦେବା ପାଇଁ 8297324624 ନମ୍ବରରେ ହ୍ବାଟ୍ସଆପ କରିବା ପାଇଁ ପତ୍ନୀ ସୁନିତା ନିବେଦନ କରିଛନ୍ତି । ଆପଣ କେଉଁ ଦଳର ହେଲେ ମଧ୍ୟ ବାର୍ତ୍ତା ପଠାନ୍ତୁ ବୋଲି ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ସୁନିତା କେଜ୍ରିୱାଲ କହିଛନ୍ତି,"ଗତକାଲି ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଯାହା କହିଛନ୍ତି ତାହା ଆପଣ ନିଶ୍ଚୟ ଶୁଣିଥିବେ, ଯଦି ଶୁଣି ନାହାନ୍ତି ପୁଣିଥରେ ଶୁଣନ୍ତୁ । ସେ କୋର୍ଟ ସମ୍ମୁଖରେ ଯାହା କହିଥିଲେ ସେଥିପାଇଁ ବହୁତ ସାହସ ଦରକାର । ସେ ଜଣେ ପ୍ରକୃତ ଦେଶପ୍ରେମୀ । ଆମର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଏକଛତ୍ରବାଦୀ ଶାସନ ସହିତ ଠିକ ଏହିପରି ଲଢେଇ କରିଥିଲେ । ମୁଁ ତାଙ୍କ ସହିତ ଗତ ତିରିଶ ବର୍ଷ ଧରି ରହିଆସିଛି । ତାଙ୍କର ଦେଶପ୍ରେମ ମୁଁ ଦେଖିଛି ।"