ଜୟପୁର: NEET ପରୀକ୍ଷା ପାଇଁ ପ୍ରସ୍ତୁତ ହୋଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଆଜି ସାରା ଦେଶରେ NEET ପରୀକ୍ଷା ଥିବା ବେଳେ ଗତକାଲି (ଶନିବାର) ରାତିରେ ଛାତ୍ର ଜଣଙ୍କୁ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଛାତ୍ର ଜଣଙ୍କ ରାଜସ୍ଥାନର ବୃଜନଗରରେ ଜୀବନ ହାରିଥିବା ସୂଚନା ମିଳିଛି । ସେପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ, ରାଜସ୍ଥାନର ଲଖନପୁର ପୋଲିସ ଷ୍ଟେସନ ଅଞ୍ଚଳ ନାଗଲା ମିର୍ଚୁଆ ଗାଁର ବାସିନ୍ଦା ହରଭାନ୍ ସିଂଙ୍କ ପୁଅ ମନୀଷ ସିଂ (18) ଭରତପୁର ସହରର ବୃଜ ନଗରରେ ନିଜ ବଡ଼ ଭାଇସହ ଏକ ଭଡା ଘରେ ରହି NEET ପାଇଁ ପ୍ରସ୍ତୁତି ଚଳାଇଥିଲେ । ଶନିବାର ସନ୍ଧ୍ୟାରେ ମନୀଷଙ୍କ ବଡ଼ ଭାଇ ପରିବା କିଣିବା ପାଇଁ ବଜାରକୁ ଯାଇଥିଲେ । ପରେ ବଜାରରୁ ଫେରି ଘରେ ମନୀଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏନେଇ ବଡ ଭାଇ ଜଣଙ୍କ ପଡ଼ୋଶୀଙ୍କୁ ଜଣାଇବା ପରେ ସମସ୍ତେ ମିଶି ମନୀଷଙ୍କୁ ଆରବିଏମ୍ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସୂଚନା ପାଇବା ପରେ ପରିବାର ଲୋକ ଆଜି (ରବିବାର) ସକାଳେ ଡାକ୍ତରଖାନାରେ ପହଞ୍ଚିଥିଲେ । ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପୋଲିସ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ତେବେ ମନୀଷଙ୍କ ବାପା ଜଣେ କୃଷକ ହୋଇଥିବା ବେଳେ କଷ୍ଟେମଷ୍ଟେ ମନୀଷଙ୍କୁ ପାଠ ପଢ଼ାଉଥିଲେ । ମନୀଷଙ୍କୁ ହରାଇ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗିପଡ଼ିଛି ।
ପ୍ରକାଶ ଥାଉ କି, ଗତ କିଛି ଦିନ ପୂର୍ବରୁ ରାଜସ୍ଥାନର କୋଟାରେ NEET ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୯ ବର୍ଷୀୟ ଛାତ୍ର ଜୀବନ ହାରିଥିଲେ । ଛାତ୍ର ଜଣଙ୍କ ଉତ୍ତରପ୍ରଦେଶର ଥିବା ବେଳେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି କୋଟାରେ ରହି ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ ।