ପ୍ରୟାଗରାଜ: ମହାକୁମ୍ଭ ମହାଅଘଟଣରେ କେତେ ଲୋକେ ପ୍ରାଣ ହରାଇଛନ୍ତି ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ଆସିପାରିନାହିଁ । ରିପୋର୍ଟ କହୁଛି ବର୍ତ୍ତମାନ ସୁଦ୍ଧା 17 ଜଣ ପ୍ରାଣ ହରାଇଛନ୍ତି । 50ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପାଖାପାଖି ସବୁ ଦଳର ନେତା ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ବର୍ତ୍ତମାନ ସୁଦ୍ଧା ତ୍ରିବେଣୀ ସଙ୍ଗମରେ 3.61 କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ସେହିପରି ଗତ କାଲି ଅର୍ଥାତ ଜାନୁଆରୀ 28ରେ 19.94 କୋଟି ଲୋକେ କୁମ୍ଭମେଳାରେ ବୁଡ ପକାଇଥିବା ଉତ୍ତର ପ୍ରଦେଶ ସରକାର କହିଛନ୍ତି ।
- ଭିଆଇପି ବ୍ୟବସ୍ଥା ଦାୟୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାକୁମ୍ଭ ମେଳାରେ ଭିଆଇପି ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ରାହୁଲ ଲେଖିଛନ୍ତି ‘‘ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା କାରଣରୁ ଅଧିକାଂଶଙ୍କ ମୃତ୍ୟୁ ଓ ଆହତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକାକୂଳ ପରିବାର ପାଇଁ ମୋର ସମବେଦନା ପ୍ରକାଶ କରୁଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ଦୁଃଖଦ ଘଟଣା ପାଇଁ ଅବ୍ୟବସ୍ଥା, ପରିଚାଳନା ଅଭାବ ଓ ସାଧାରଣ ଭକ୍ତଙ୍କ ସ୍ଥାନରେ ଭିଆଇପି ବ୍ୟବସ୍ଥା ଉପରେ ପ୍ରଶାସନର ଧ୍ୟାନ କେନ୍ଦ୍ରିତ ହେବା ଦାୟୀ ଅଟେ । ମହାକୁମ୍ଭର ଆହୁରି ଅନେକ ଦିନ ବାକି ଅଛି । ଆହୁରି ଅନେକ ମହାସ୍ନାନ ଏପର୍ଯ୍ୟନ୍ତ ହୋଇନାହିଁ । ଆଜି ଭଳି ଆଗକୁ ଏପରି ଦୁଃଖଦ ଘଟଣା ଯେପରି ନ ଘଟୁ ଏଥିପାଇଁ ସରକାର ବ୍ୟବସ୍ତାରେ ସୁଧାର ଆଣିବା ଜରୁରୀ । ଭିଆଇପି ସଂସ୍କୃତି ଉପରେ ଲଗାମ ଲାଗୁ ହେବା ଉଚିତ୍ । ସାଧାରଣ ଭକ୍ତଙ୍କ ପାଇଁ ସରକାରଙ୍କୁ ଭଲ ବନ୍ଦୋବସ୍ତ କରିବା ଆବଶ୍ୟକ ରହିଛି । କଂଗ୍ରେସ କର୍ମୀ ଓ ନେତାଙ୍କୁ ପିଡିତଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିବେଦନ କରୁଛି’’ ।
- ଆୟୋଜନ ଠୁ ଅଧିକ ସ୍ବପ୍ରଚାର
ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ‘‘ମହାକୁମ୍ଭ ମେଳା ତୀର୍ଥସ୍ଥଳୀ ସଙ୍ଗମରେ ହୋଇଥିବା ଦଳାଚକଟାରେ ଅନେକ ଲୋକଙ୍କ ଜୀବନ ଯାଇଛି । ଅଧିକାଂଶ ଆହତ ହେବା ଖବର ବି ହୃଦୟ ବିଦାରକ ଘଟଣା । ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ଅଧା ଅଧୁରା ବ୍ୟବସ୍ଥା, ଭିଆଇପିଙ୍କ ପାଇଁ ବ୍ୟବସ୍ଥା, ଆୟୋଜନ ଠୁ ଅଧିକ ନିଜର ପ୍ରଚାରରେ ଧ୍ୟାନ ଦେବା ଓ ଅବ୍ୟବସ୍ଥା ଏଥିପାଇଁ ଦାୟୀ ହୋଇଥାଏ । ହଜାର କୋଟି ଟଙ୍କା ଖର୍ଚ୍ଚ ପରେ ଏପରି ବ୍ୟବସ୍ଥା ନିନ୍ଦନୀୟ ଅଟେ । ଏବେବି ଆହୁରି ମହତ୍ତ୍ବପୂର୍ଣ୍ଣ ସାହି ସ୍ନାନ ରହିଛି ଯେଉଁଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସଚେତନ ରହି ବ୍ୟବସ୍ଥାକୁ ସୁଧାରିଦେବା ଉଚିତ । ଯେଉଁଥିପାଇଁ ଆଗକୁ ଏଭଳି ଅପ୍ରିୟ ଘଟଣା ଘଟିବ ନାହିଁ । ଶ୍ରଦ୍ଧାଳୁଙ୍କ ରହିବା, ଖାଇବା, ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବସ୍ଥା ବିସ୍ତାର କରିବା ସହ ଭିଆଇପି ମୁମେଣ୍ଟରେ ଲଗାମ ଲଗାଯିବା ଉଚିତ । ଏହା ଆମ ସାଧୁ ସନ୍ଥ ବି ଚାହୁଁଛନ୍ତି । କଂଗ୍ରେସର କାର୍ଯ୍ୟକତ୍ତାକୁ ଅନୁରୋଧ ଯେ ସେମାନେ ପିଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ’’ ।
- ଯୋଗୀ ସରକାରଙ୍କୁ ଖେଡାଙ୍କ ଟାର୍ଗେଟ୍