ଡେରାଡୁନ:ଉତ୍ତରାଖଣ୍ଡରେ ବଡ ଧରଣର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ନୈନତାଲ ଜିଲ୍ଲାର ବେତାଲଘାଟ ଉଚ୍ଚୋକୋଟ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ କାର୍ରେ ମୋଟ 10 ଜଣ ଯାତ୍ରୀ ରହିଥିଲେ ।
ଖାଇକୁ ଖସିଲା କାର୍: ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ହେବା କାରଣରୁ ଉଦ୍ଧାର କାର୍ଯ୍ୟ କଠିନ ସହିତ ବିଳମ୍ବ ହୋଇଥିଲା । ତେବେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ଯାଇଥିଲା କାର୍ । ତେବେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ନେପାଳୀ ବୋଲି କୁହାଯାଉଛି । ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଉଦ୍ୟମ ପରେ ସମସ୍ତ ମୃତଦେହକୁ ଖାଇରୁ ବାହାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ:ପୋଲିସର ସୂଚନା ଅନୁସାରେ, ଉଚ୍ଚୋକୋଟ ଅଞ୍ଚଳରେ ଜଳ ଜୀବନ ମିଶନ କାର୍ଯ୍ୟ ଚାଲିଥିଲା । ଏକ କାର୍ରେ ଡ୍ରାଇଭରଙ୍କ ସହିତ 9ଜଣ ନେପାଳୀ ଶ୍ରମିକ ଗାଡିରେ ରାମନଗରରୁ ଯାତ୍ରା ଆରମ୍ଭ କରିଥିଲେ । ଏଠାରୁ ସେମାନେ ନେପାଳ ଅଭିମୁଖେ ବାହାରି ଥିଲେ । ତେବେ ଉଚ୍ଚାକୋଟ ଅଞ୍ଚଳରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ଗାଡିଟି 200 ମିଟର ଗଭୀର ଖାଇକୁ ଖସି ପଡିଥିଲା ।