ରାଞ୍ଚି:ଝାଡଖଣ୍ଡର ଜାମତରାରେ ଏକ ବଡଧରଣ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାତ୍ରୀଙ୍କ ଉପରେ ଟ୍ରେନ ମାଡିଯିବାରୁ ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏବେ ସୁଦ୍ଧା 2 ମୃତଦେହ ଉଦ୍ଧାର କରାଯାଇଛି । ଅନ୍ଧାରରେ ଉଦ୍ଧାର ଅପରେସନ ଜାରି ରହିଛି । ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଆଜି ସଂଧ୍ୟାରେ ଜାମତଡା ଷ୍ଟେସନ ନିକଟରେ ଅଟକିଥିବା ଏକ ‘ଅଙ୍ଗ ଏକ୍ସପ୍ରେସ’ରୁ ଓହ୍ଲାଇବା ପରେ ଯାତ୍ରୀମାନେ ରେଳଧାରଣା ପାର ହେଉଥିବା ବେଳେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଏକ୍ସପ୍ରେସ ସେମାନଙ୍କ ଉପରେ ମାଡିଯାଇଥିଲା । ଏଥିରେ ଘଟଣାସ୍ଥଳରେ ପ୍ରାୟ 2 ଜଣଙ୍କ ମୃତ୍ୟୁ ହୋଇଥିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇଛି । ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଆରପିଏଫ ଟିମ୍ ସମେତ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି ।
ଜାମତାଡା ଜିଲ୍ଲାର ବିଦ୍ୟାସାଗର ଓ କାଲା ହାରିଆ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଭାଗଲପୁରରୁ ଯଶୋବନ୍ତପୁର ଯାଉଥିବା ଅଙ୍ଗ ଏକ୍ସପ୍ରେସ କୌଣସି ଯାନ୍ତ୍ରିକ ତ୍ରୁଟି କାରୁଣରୁ ଅଟକି ରହିଥିଲା । ସେତେବେଳେ ଯାତ୍ରୀମାନେ ତଳକୁ ଓହ୍ଲାଇ ଧାରାଣା ପାର କରୁଥିଲେ । ନିକଟବର୍ତ୍ତୀ ଟ୍ରାକରେ ଆସାନସୋଲରୁ ବୈଦ୍ୟନାଥଧାମ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ ଏହି ଯାତ୍ରୀମାନଙ୍କ ଉପରେ ମାଡିଯାଇଥିଲା ।